ମାଥିଉ 10
10
ଯୀଶୁଙ୍କ ବାର ଶିଷ୍ୟ
1ଇତି ମଧ୍ୟରେ ଯୀଶୁ ଆପଣା ଦ୍ଵାଦଶ ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚିଣଆତ୍ମାଗୁଡ଼ାକ ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ।
2ସେହି ଦ୍ଵାଦଶ ପ୍ରେରିତଙ୍କର ନାମ ଏହି, ପ୍ରଥମରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭ୍ରାତା ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ତାଙ୍କ ଭ୍ରାତା ଯୋହନ,
3ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,
4କିଣାନୀୟ ଶିମୋନ ଓ ଇଷ୍କାରିୟୋତୀୟ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା।
ବାର ଶିଷ୍ୟଙ୍କୁ ପ୍ରେରଣ
5ଯୀଶୁ ଏହି ଦ୍ଵାଦଶ ଜଣଙ୍କୁ ପ୍ରେରଣ କରି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
6ବରଂ ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ।
7ପୁଣି, ଯାଉ ଯାଉ ସ୍ଵର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।
8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
9ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ଵା,
10ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ଵା ଦୁଇଟି ଅଙ୍ଗରଖା ଅବା ଯୋତା କିମ୍ଵା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ।
11ଆଉ, ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।
12ଆଉ, ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୟାଣ କର;
13ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ନିକଟକୁ ବାହୁଡ଼ିଆସୁ।
14ପୁଣି, ଯେକେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ଵା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର-ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ହମୋରା ଦେଶର ଦଶା ସହନୀୟ ହେବ।
ଆଗାମୀ ତାଡ଼ନା
16ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।
17ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହସମୂହରେ କୋରଡ଼ା ମାରିବେ,
18ପୁଣି ତୁମ୍ଭେମାନେ ମୋʼ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବ; ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ଵରୂପ ହେବ।
19କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ଦଣ୍ତରେ ତୁମ୍ଭମାନଙ୍କୁ ଦିଆଯିବ।
20ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା, ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି।
21ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।
22ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
23କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।
24ଶିଷ୍ୟ ଗୁରୁଠାରୁ କିମ୍ଵା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
25ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ତୁଲ୍ୟ ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଆଲ୍ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।
ଭୟ କର ନାହିଁ
26ଅତଏବ, ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
27ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘରଛାତ ଉପରେ ଘୋଷଣା କର।
28ଆଉ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ ପରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର।
29ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ, ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
30କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି।
31ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ।
32ଆଉ, ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ଵୀକାର କରିବି।
33ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ଵୀକାର କରିବି।
ଶାନ୍ତି ପରିବର୍ତ୍ତେ ଖଡ଼୍ଗ
34ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି।
35କାରଣ ମୁଁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ବୋହୁର ବିରୋଧ ଘଟାଇବାକୁ ଆସିଅଛି,
36ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।
37ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ।
38ଆଉ, ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ।
39ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋʼ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।
ପୁରସ୍କାର ଅଧିକାର
40ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
41ଯେ ଭାବବାଦୀଙ୍କି ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ, ଯେ ଧାର୍ମିକ ବ୍ୟକ୍ତିଙ୍କି ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ।
42ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ତା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
Currently Selected:
ମାଥିଉ 10: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.