ମାଥିଉ 9
9
ପକ୍ଷାଘାତ ରୋଗୀର ସୁସ୍ଥତା
1ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।
2ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ-ରୋଗୀକି ବୋହି ତାହାଙ୍କ ନିକଟକୁ ଆଣିଲେ, ପୁଣି ଯୀଶୁ ସେମାନଙ୍କ ବିଶ୍ଵାସ ଦେଖି ସେହି ପକ୍ଷାଘାତରୋଗୀକି କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।
3ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ଵରନିନ୍ଦା କରୁଅଛି।
4ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?
5କାରଣ କଅଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା?
6କିନ୍ତୁ ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟ-ପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣି ପାର-ଏଥିପାଇଁ ଯୀଶୁ ପକ୍ଷାଘାତ ରୋଗୀକି କହିଲେ, ଉଠ, ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।
7ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।
8ତାହା ଦେଖି ଲୋକସମୂହ ଭୀତ ହେଲେ, ପୁଣି ଯେଉଁ ଈଶ୍ଵର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।
ମାଥିଉଙ୍କୁ ଆହ୍ଵାନ
9ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କି କରଆଦାୟ-ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, ମୋହର ଅନୁଗମନ କର। ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
10ଆଉ, ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ।
11ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?
12କିନ୍ତୁ ଯୀଶୁ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି।
13କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସିଅଛି।
ଉପବାସର କାରଣ
14ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
15ଯୀଶୁ ସେମାନଙ୍କୁ କହିଲେ, ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରି ପାରନ୍ତି? କିନ୍ତୁ ସମୟ ଆସିବ, ଯେତେ-ବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।
16କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ତାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।
17ଆଉ, ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି ଉଭୟ ରକ୍ଷା ପାଏ।
ମୃତ ବାଳିକା ଜୀବିତ - ପ୍ରଦର ରୋଗଗ୍ରସ୍ତା ସୁସ୍ଥ
18ଯୀଶୁ ସେମାନଙ୍କୁ ଏହିସମସ୍ତ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲେ, ମୋର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ।
19ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ।
20ଆଉ ଦେଖ, ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛପଟୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା,
21କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
22କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, ବତ୍ସେ, ସାହସ ଧର, ତୋହର ବିଶ୍ଵାସ ତୋତେ ସୁସ୍ଥ କରିଅଛି। ସେହି ଦଣ୍ତରୁ ସ୍ତ୍ରୀଲୋକଟି ସୁସ୍ଥା ହୋଇଗଲା।
23ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକ-ସମୂହକୁ ଦେଖି କହିଲେ, ବାହାରିଯାଅ,
24ବାଳିକାଟି ତ ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
25କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ସେ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା।
26ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା।
ଦୁଇ ଅନ୍ଧଙ୍କୁ ଦୃଷ୍ଟିଦାନ
27ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ଵର କରି କହିବାକୁ ଲାଗିଲେ, ହେ ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
28ପୁଣି, ସେ ଗୃହରେ ପ୍ରବେଶ କରନ୍ତେ, ସେହି ଅନ୍ଧମାନେ ତାହାଙ୍କ ନିକଟକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେ ଏହା କରି ପାରେ, ତାହା କି ବିଶ୍ଵାସ କରୁଅଛ? ସେମାନେ କହିଲେ, ହଁ, ପ୍ରଭୁ।
29ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ଵାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।
30ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ ରୂପେ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେପରି କେହି ନ ଜାଣେ।
31ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।
ମୂକକୁ ବାକ୍ଶକ୍ତି ପ୍ରଦାନ
32ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
33ପୁଣି, ଭୂତ ଛଡ଼ାଯାଆନ୍ତେ, ସେହି ମୂକ କଥା କହିଲା। ସେଥିରେ ଲୋକସମୂହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ।
34କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି।
35ଏଥିଉତ୍ତାରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର, ପୁଣି ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ।
ଶସ୍ୟ ପ୍ରଚୁର କାର୍ଯ୍ୟକାରୀ ଅଳ୍ପ
36ଆଉ, ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ।
37ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ,
38ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ନିବେଦନ କର।
Currently Selected:
ମାଥିଉ 9: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.