ମାଥିଉ 24

24
ମନ୍ଦିର ଧ୍ୱଂସ ବିଷୟର ସୂଚନା
(ମାର୍କ 13:1-2; ଲୂକ 21:5-6)
1ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ, 2“ତୁମ୍ଭେମାନେ କଅଣ ଏହି ସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
ଯୁଗ ଶେଷର ଲକ୍ଷଣ
(ମାର୍କ 13:3-13; ଲୂକ 21:7-19)
3ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। 4ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। 5କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। 6ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। 7କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। 8କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର। 9ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। 10ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, 11ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, 12ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। 13ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। 14ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ।
ମହାସଙ୍କଟର ଦିନ ଆରମ୍ଭ
(ମାର୍କ 13:14-23; ଲୂକ 21:20-24)
15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), 16ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; 17ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; 18ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ। 19ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର, 20କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। 21କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ। 22ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ। 23ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ। 24କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। 25ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି। 26ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ। 27କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ। 28ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।”
ମନୁଷ୍ୟପୁତ୍ରଙ୍କ ପୁନରାଗମନ
(ମାର୍କ 13:24-27; ଲୂକ 21:25-28)
29 “ମାତ୍ର ସେହି ସମୟର କଷ୍ଟ ପରେ
‘ହଠାତ୍‍ ସୂର୍ଯ୍ୟ ଅନ୍ଧକାରମୟ ହେବ
ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ
ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’
30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। 31ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
ଡିମ୍ବିରିବୃକ୍ଷରୁ ଶିକ୍ଷା
(ମାର୍କ 13:28-31; ଲୂକ 21:29-33)
32 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 33ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ। 34ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ। 35ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
ଆଗମନର ଦିନ ଓ ଦଣ୍ଡ ଅଜ୍ଞାତ
(ମାର୍କ 13:32-37; ଲୂକ 17:26-30,34-36)
36 “କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି। 37ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ। 38କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ, 39ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ। 40ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ; 41ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ। 42ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ। 43କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ। 44ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
ବିଶ୍ୱସ୍ତ ଏବଂ ଦୁଷ୍ଟ ଦାସ
(ଲୂକ 12:41-48)
45 “ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? 46ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। 47ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। 48କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି 49ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, 50ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, 51ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”

നിലവിൽ തിരഞ്ഞെടുത്തിരിക്കുന്നു:

ମାଥିଉ 24: IRVOry

ഹൈലൈറ്റ് ചെയ്യുക

പങ്ക് വെക്കു

പകർത്തുക

None

നിങ്ങളുടെ എല്ലാ ഉപകരണങ്ങളിലും ഹൈലൈറ്റുകൾ സംരക്ഷിക്കാൻ ആഗ്രഹിക്കുന്നുണ്ടോ? സൈൻ അപ്പ് ചെയ്യുക അല്ലെങ്കിൽ സൈൻ ഇൻ ചെയ്യുക