ଲୂକ 24
24
ଯୀଶୁଙ୍କ ପୁନରୁତ୍ଥାନ
(ମାଥିଉ 28:1-10; ମାର୍କ 16:1-8; ଯୋହନ 20:1-10)
1ଆଉ ବିଶ୍ରାମବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି ନିକଟକୁ ଗଲେ । 2ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, 3କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ ।
4ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 5ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଚ୍ଛ ?
6ସେ ଏଠାରେ ନାହାଁନ୍ତି, ମାତ୍ର ଉଠିଅଛନ୍ତି । ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ, 7ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର ।
8ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, 9ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହି ସବୁ ସମ୍ବାଦ ଦେଲେ । 10ଏମାନେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ ।
11ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ । 12[କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ ।]
ଇମ୍ମାୟୁ ପଥରେ
(ମାର୍କ 16:12,13)
13ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ 14ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ ।
15ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ; 16କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।
17ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କ'ଣ ? ସେଥିରେ ସେମାନେ ଦୁଃଖି ମୁଖରେ ଠିଆ ହୋଇ ରହିଲେ । 18ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ ?
19ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ, 20ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।
21କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
22ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ 23ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି । 24ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ
25ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ, 26ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା ? 27ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।
28ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ । 29କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି । ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ ।
30ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ । 31ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ । 32ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା ?
33ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; 34ସେମାନେ କହୁଥିଲେ ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି । 35ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ ।
ଶିଷ୍ୟମାନଙ୍କୁ ଯୀଶୁଙ୍କ ଦର୍ଶନ
(ମାଥିଉ 28:16-20; ମାର୍କ 16:14-18; ଯୋହନ 20:19-23; ପ୍ରେରିତ 1:6-8)
36କିନ୍ତୁ ସେମାନେ ଏହି ସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ । 37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ ।
38ସେଥିରେ ସେ ସେମାନଙ୍କୁ କହିଲେ, କାହିଁକି ଉଦ୍ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି ? 39ଏ ଯେ ସ୍ୱୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ । 40[ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ ।]
41ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, ଏଠାରେ ତୁମ୍ଭମାନଙ୍କ ପାଖରେ କ'ଣ ଖାଦ୍ୟ ଅଛି ? 42ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ । 43ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତାରେ ଭୋଜନ କଲେ ।
44ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି ।
45ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ; 46ଆଉ ସେମାନଙ୍କୁ କହିଲେ, ଏହି ପ୍ରକାରେ ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, 47ପୁଣି, ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ ।
48ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ 49ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ ।
ଯୀଶୁଙ୍କ ସ୍ୱର୍ଗାରୋହଣ
(ମାର୍କ 16:19,20; ପ୍ରେରିତ 1:9-11)
50ତତ୍ପରେ ସେ ସେମାନଙ୍କୁ ବେଥନିଅାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ । 51ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ ।
52ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ, 53ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ ।
اکنون انتخاب شده:
ଲୂକ 24: ORYIRV
هایلایت
به اشتراک گذاشتن
کپی
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0