ଲୂକ 19
19
ଯୀଶୁ ଓ ଜଖୀୟ
1ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ । 2ଆଉ ଦେଖ, ସେଠାରେ ଜଖିୟ ନାମରେ ଜଣେ ଲୋକ ଥିଲେ । ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ ।
3ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ । 4ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା ।
5ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ । 6ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ । 7ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି ।
8କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି । 9ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ; 10କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।
ଦଶ ଗୋଟି ମୋହରର ଦୃଷ୍ଟାନ୍ତ
(ମାଥିଉ 25:14-30)
11ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ୱରଙ୍କ ରାଜ୍ୟ ଅତିଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ । 12ଏଣୁ ସେ କହିଲେ, ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ ।
13ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶ ଗୋଟି ମୁଦ୍ରା ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର । 14କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବେ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ । 15ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ ।
16ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୁଦ୍ରା ଆଉ ଦଶଟି ମୁଦ୍ରା ଲାଭ କରିଅଛି । 17ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ ।
18ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୁଦ୍ରା ପାଞ୍ଚୋଟି ମୁଦ୍ରା ଲାଭ କରିଅଛି । 19ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ ।
20ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; 21କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି ।
22ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କ'ଣ ଜାଣିଥିଲୁ ? 23ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି ।
24ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୁଦ୍ରା ନେଇଯାଇ, ଯାହାର ଦଶ ମୁଦ୍ରା ଅଛି, ତାହାକୁ ଦିଅ । 25ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୁଦ୍ରା ଅଛି ।
26ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ । କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 27କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର ।
ଯୀଶୁଙ୍କ ବିଜୟ ଯାତ୍ରା
(ମାଥିଉ 21:1-11; ମାର୍କ 11:1-11; ଯୋହନ 12:12-19)
28ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ ।
29ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 30ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ । 31ଆଉ ଯଦି କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି ।
32ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ । 33ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ ? 34ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । 35ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ । 36ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ ।
37ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ, 38ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ । ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା ।
39ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ । 40ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ ।
ଯିରୂଶାଲମ ନିମନ୍ତେ ଯୀଶୁଙ୍କ ବିଳାପ
41ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, 42ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି ।
43ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋ' ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ, 44ପୁଣି, ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ ।
ଯୀଶୁଙ୍କ ମନ୍ଦିର ପରିଷ୍କାର
(ମାଥିଉ 21:12-17; ମାର୍କ 11:15-19; ଯୋହନ 2:13-22)
45ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀ ମାନଙ୍କୁ ବାହାର କରିବାକୁ ଲାଗିଲେ, 46ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ ।
47ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ, 48କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କ'ଣ କରିବେ ବୋଲି ସ୍ଥିର କରି ପାରୁ ନ ଥିଲେ ।
انتخاب شده:
ଲୂକ 19: ORYIRV
هایلایت
به اشتراک گذاشتن
کپی
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0