ଯୋହନ 4
4
ଯୀଶୁ ଓ ଶମିରୋଣୀୟା ସ୍ତ୍ରୀ
1ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି 2(ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ, 3ସେତେବେଳେ ସେ ଯିହୂଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ । 4କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା । 5ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ; 6ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା । ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ । ସେତେବେଳେ ମଧ୍ୟାହ୍ନ ହୋଇଥିଲା । 7ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା । ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ । 8କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ । 9ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୂଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋ' ହାତରୁ ପିଇବାକୁ ମାଗୁଅଛନ୍ତି ? କାରଣ ଶମିରୋଣୀୟମାନଙ୍କ ସହିତ ଯିହୂଦୀମାନଙ୍କର ବ୍ୟବହାର ନାହିଁ । 10ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ । 11ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ? 12ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ ? 13ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ; 14କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ । 15ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ । 16ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ । 17ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ୱାମୀ ନାହିଁ, ଏହା ତ ଠିକ କହିଲ; 18କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ । 19ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି । 20ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି । 21ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି । 22ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ । 23କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି । 24ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ । 25ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ । 26ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ । 27ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ । 28ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ, 29ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ? 30ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ । 31ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ । 32କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି । 33ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ? 34ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ । 35ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହି ସବୁ କଟାଯିବା ନିମନ୍ତେ ପାଚିଗଲାଣି । 36ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି । 37କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ । 38ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ । 39ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ । 40ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ । 41ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ; 42ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।
ରାଜକର୍ମଚାରୀ ପୁତ୍ରଙ୍କ ସୁସ୍ଥତା
43ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ । 44କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ । 45ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ, ସେହି ସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ । 46ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ । ଆଉ ଜଣେ ରାଜକର୍ମଚାରୀ ଥିଲେ, ତାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା । 47ଯୀଶୁ ଯିହୂଦା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍ ହୋଇଥିଲା । 48ସେଥିରେ ଯୀଶୁ ତାଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ । 49ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ । 50ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ । ଯୀଶୁ ସେହି ବ୍ୟକ୍ତିଙ୍କି ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ । 51ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ । 52ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା । 53ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ । 54ଯିହୂଦାରୁ ପୁର୍ନବାର ଗାଲିଲୀକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ ।
اکنون انتخاب شده:
ଯୋହନ 4: ORYIRV
هایلایت
به اشتراک گذاشتن
کپی

می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
برنامه های خواندنی رایگان و عبادات مربوط به ଯୋହନ 4

محبت جاودانی خدا | BibleProject

نوشتههای یوحنا | BibleProject
