ମାର୍କ 9
9
1ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ।
ଯୀଶୁଙ୍କ ରୂପାନ୍ତରଣ
2ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
3ଆଉ, ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ଵଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରି ପାରେ ନାହିଁ।
4ପୁଣି, ମୋଶାଙ୍କ ସହିତ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା।
5ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
6କାରଣ ସେ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ଯେଣୁ ସେମାନେ ଅତ୍ୟ; ଭୀତ ହୋଇଥିଲେ।
7ପୁଣି, ଖଣ୍ତେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।
8ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ।
9ସେମାନେ ପର୍ବତରୁ ଓହ୍ଳାଇବା ସମୟରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକି କୁହ ନାହିଁ।
10ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
11ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି?
12ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖା ଅଛି?
13କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖା ଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।
ଭୂତଗ୍ରସ୍ତ ବାଳକର ସୁସ୍ଥତା
14ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି।
15ଲୋକସମୂହ ତାହାଙ୍କୁ ଦେଖିବାମାତ୍ରେ ଅତିଶୟ ବିସ୍ମୟାନ୍ଵିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ।
16ସେଥିରେ ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ?
17ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
18ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ, ତାହାର ମୁହଁରୁ ଫେଣ ବାହାରେ ଓ ସେ ଦା; ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ଵାସୀ ବଂଶ, କେତେକାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ।
20ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ତାହାଙ୍କୁ ଦେଖିବାମାତ୍ରେ ସେହି ଭୂତ ତାହାକୁ ଭୟଙ୍କରଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
21ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
22ସେ ତାହାକୁ ମାରିପକାଇବା ପାଇଁ ଥରକୁ ଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ।
23ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରି ପାରନ୍ତି ! ବିଶ୍ଵାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ।
24ସେହିକ୍ଷଣି ପିଲାଟିର ପିତା ଉଚ୍ଚ ସ୍ଵରରେ କହିଲା, ମୁଁ ବିଶ୍ଵାସ କରୁଅଛି, ମୋହର ଅବିଶ୍ଵାସର ପ୍ରତିକାର କରନ୍ତୁ।
25ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।
26ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟ; ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରି କି ଅଧିକାଂଶ କହିଲେ, ସେ ମରିଗଲା।
27କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
28ପୁଣି, ସେ ଗୃହକୁ ଆସନ୍ତେ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ?
29ଯୀଶୁ ସେମାନଙ୍କୁ କହିଲେ, ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ପୂନଃସୂଚନା
30ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
31କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।
32କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁଓ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
ସବୁଠାରୁ ଶ୍ରେଷ୍ଠ ସମସ୍ତଙ୍କର ସେବକ
33ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ?
34କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ।
35ସେଥିରେ ଯୀଶୁ ଉପବେଶନ କରି ଦ୍ଵାଦଶଙ୍କୁ ଆହ୍ଵାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେଣସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ।
36ପୁଣି, ଯୀଶୁ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
37ଯେକେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେକେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
ଯେ ବିପକ୍ଷ ନୁହେଁ, ସେ ସପକ୍ଷରେ
38ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ।
39କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ଶକ୍ତିରେ କାର୍ଯ୍ୟ କରି ହଠାତ୍ ମୋହର କୁତ୍ସା କରି ପାରିବ, ଏପରି ଲୋକ କେହି ନାହିଁ
40କାରଣ ଯେ ଆମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ।
41ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେକେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
ବିଶ୍ଵାସରେ ବିଘ୍ନକାରୀର ଦଣ୍ତ
42ଆଉ, ଯେକେହି ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇ ଥାଆନ୍ତା।
43ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନରକ, ଅର୍ଥାତ୍, ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
44[କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।]
45ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
46[କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।]
47ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ିପକାଅ; ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ;
48କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।
49ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
50ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ଵହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ଵାଦଯୁକ୍ତ କରିବ? ତୁମ୍ଭେମାନେ ଆପଣା ଆପଣାଠାରେ ଲବଣ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
Currently Selected:
ମାର୍କ 9: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.