ମାର୍କ 5
5
ବାହିନୀ ଭୂତଗ୍ରସ୍ତ ଲୋକର ସୁସ୍ଥତା
1ପରେ ସେମାନେ ସମୁଦ୍ରର ପରପାରସ୍ଥ ଗରାଶୀୟ-ମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ।
2ଯୀଶୁ ନୌକାରୁ ଓହ୍ଳାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।
3ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
4କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ତାଇଦେଇ ବେଡ଼ିସବୁ ଖଣ୍ତ ଖଣ୍ତ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାରି ବଳ ନ ଥିଲା।
5ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା।
6ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା,
7ଆଉ ଉଚ୍ଚ ସ୍ଵରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ଵରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋର କଅଣ ଅଛି? ତୁମ୍ଭକୁ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।
8କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।
9ଆଉ, ଯୀଶୁ ତାହାକୁ ପଚାରିଲେ, ତୋର ନାଁ କଅଣ? ସେ ତାହାଙ୍କୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ।
10ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା।
11ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା।
12ଆଉ, ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ।
13ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ିମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇହଜାର ଥିଲା।
14ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଳୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଛି ବୋଲି ଦେଖିବାକୁ ଆସିଲେ।
15ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍, ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ।
16ଆଉ, ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ତାହା ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
17ସେଥିରେ ସେମାନେ ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ।
18ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁ ଥର ବିନତି କଲା।
19କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ।
20ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେ ଯେ କର୍ମ କରିଥିଲେ, ସେହିସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲା; ସେଥିରେ ସମସ୍ତେ ଚମତ୍କୃତ ହେଲେ।
ମୃତ ବାଳିକା ଜୀବିତ-ପ୍ରଦର ରୋଗଗ୍ରସ୍ତା ସୁସ୍ଥ
21ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକି ବାହୁଡ଼ିଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ, ସେ ସମୁଦ୍ରକୂଳରେ ରହିଲେ।
22ସେତେବେଳେ ସମାଜଗୃହର ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ,
23ପୁଣି ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ।
24ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି ବହୁତ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
25ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର-ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ,
26ଯେ କି ଅନେକ ବୈଦ୍ୟଙ୍କ ଦ୍ଵାରା ବହୁ କ୍ଳେଶ ଭୋଗ କରି ସର୍ବସ୍ଵ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା,
27ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳ ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; କାରଣ ସେ କହୁଥିଲା,
28କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
29ସେହିକ୍ଷଣି ତାହାର ରକ୍ତସ୍ରାବ ଶୁଷ୍କ ହେଲା, ପୁଣି ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଦେହରେ ଅନୁଭବ କଲା।
30ତତ୍କ୍ଷଣାତ୍ ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳ ମଧ୍ୟରେ ବୁଲିପଡ଼ି କହିଲେ, କିଏ ମୋହର ଲୁଗା ଛୁଇଁଲା?
31ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା?
32କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚତୁର୍ଦ୍ଦିଗରେ ଦୃଷ୍ଟିପାତ କରିବାକୁ ଲାଗିଲେ।
33ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା।
34ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ଵାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲି ଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇଥା।
35ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି?
36କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜଗୃହର ଅଧ୍ୟକ୍ଷଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ଵାସ କର।
37ପୁଣି, ସେ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ।
38ସେମାନେ ସମାଜଗୃହର ଅଧ୍ୟକ୍ଷଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟ; ରୋଦନ ଓ ବିଳାପ କରୁଥିବା ଦେଖିଲେ,
39ପୁଣି ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
40କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
41ଆଉ ପିଲାର ହାତ ଧରି ତାହାକୁ କହିଲେ, ‘ଟଲିଥାକୂମ୍ʼ, ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍।
42ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଵିତ ହୋଇଗଲେ।
43ପୁଣି, କେହି ଯେପରି ଏ ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ।
Currently Selected:
ମାର୍କ 5: ODIAOV-BSI
Highlight
Share
Copy

Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.