YouVersion Logo
Search Icon

ମାଥିଉ 3

3
ବାପ୍ତିଜକ ଯୋହନଙ୍କ ପ୍ରଚାର
1ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
2ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।
3ଯିଶାଇୟ ଭାବବାଦୀଙ୍କ ଦ୍ଵାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲା, ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ତ ସଳଖ କର।
4ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ତାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।
5ସେତେବେଳେ ଯିରୂଶାଲମ ଓ ସମଗ୍ର ଯିହୁଦା ପ୍ରଦେଶ, ପୁଣି ଯର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ,
6ଆଉ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
7କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
8ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
9ପୁଣି ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି।
10ଆଉ, ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ, ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
11ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
12ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମ ରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ, କିନ୍ତୁ ଅଗାଡ଼ିଯାକ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ।
ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ
13ସେତେବେଳେ ଯୀଶୁ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନକୁ ଆସିଲେ।
14କିନ୍ତୁ ଯୋହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ଵାରା ବାପ୍ତିଜିତ ହେବା ମୋହର ପ୍ରୟୋଜନ, ଆଉ ଆପଣ ମୋʼ ନିକଟକୁ ଆସୁଅଛନ୍ତି?
15ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ।
16ଯୀଶୁ ବାପ୍ତିଜିତହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ଵରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।
17ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ।

Highlight

Share

Copy

None

Want to have your highlights saved across all your devices? Sign up or sign in