YouVersion Logo
Search Icon

ମାଥିଉ 2

2
ପୂର୍ବଦେଶୀୟ ପଣ୍ତିତ
1ହେରୋଦ ରାଜାଙ୍କ ସମୟରେ ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ଣପରେ, ଦେଖ, ପୂର୍ବଦେଶର କେତେକ ପଣ୍ତିତ ଯିରୂଶାଲମକୁ ଆସି କହିଲେ,
2ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ।
3ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ;
4ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ।
5ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖାଅଛି,
6ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଉତ୍ପନ୍ନ ହେବେ।
7ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ।
8ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ଵନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ଵାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।
9ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା।
10ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
11ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ।
12ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ।
ମିସରକୁ ପଳାୟନ
13ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ।
14ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ,
15ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ଵାନ କଲୁ।
ହେରୋଦଙ୍କ ଶିଶୁ ହତ୍ୟା
16ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ।
17ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
18ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।
ନାଜରିତକୁ ପ୍ରତ୍ୟାବର୍ତ୍ତନ
19ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ,
20ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ ସେମାନଙ୍କର ମୃତ୍ୟୁ ଘଟିଅଛି।
21ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଆସିଲେ।
22ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୁଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ
23ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, ସେ ନାଜରିତୀୟ ବୋଲି ଖ୍ୟାତ ହେବେ।

Highlight

Share

Copy

None

Want to have your highlights saved across all your devices? Sign up or sign in