ଆଦି ପୁସ୍ତକ 15
15
ପରମେଶ୍ୱରଙ୍କର ଅବ୍ରାମଙ୍କ ସହିତ ଚୁକ୍ତି
1ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି,
“ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ।
ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”
2କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।” 3ପୁଣି ଅବ୍ରାମ କହିଲେ, “ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ। ସେଥିପାଇଁ ମୋ’ ଗୃହର ଜଣେ ସଦସ୍ୟ ମୋର ଉତ୍ତରାଧିକାରୀ ହେବ।”
4ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”
5ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”
6ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ। 7ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।”
8କିନ୍ତୁ ଅବ୍ରାମ କହିଲେ, “ହେ ସଦାପ୍ରଭୁ, ମୋର ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?”
9ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେ ଏକ ତିନି ବର୍ଷର ବାଛୁରି, ଗୋଟିଏ ତିନି ବର୍ଷର ମାଇ ଛେଳି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ଯୁବା କପୋତ ମୋ’ ନିକଟକୁ ଆଣ।”
10ସେ ସବୁକୁ ସେ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସେଗୁଡ଼ିକ ଦୁଇ ଧାଡ଼ିରେ ରଖି ପ୍ରତ୍ୟେକ ଅଧାର ଉପରେ ଆଉ ଅଧା ଯୁକ୍ତ ଚିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। 11ଏହା ପରେ, ଅନ୍ୟ ବନ୍ୟ ପକ୍ଷୀ ସେହି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସେମାନଙ୍କୁ ଘଉଡ଼ାଇ ଦେଲେ।
12ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିଲା ଅବ୍ରାମ ଘୋର ନିଦ୍ରାରେ ଶୋଇ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହୋଇଗଲେ। 13ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ। 14କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ।
15“ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତିରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହେବ ଏବଂ ତୁମ୍ଭେ ବହୁତ ବୃଦ୍ଧ ବୟସରେ କବର ପ୍ରାପ୍ତ ହେବ। 16ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”
17ସୂର୍ଯ୍ୟାସ୍ତ ପରେ, ଯେତେବେଳେ ଏହା ଘୋର ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ୱଳନ୍ତ ମଶାଲ ହଠାତ୍ ଦେଖାଗଲା ଏବଂ ତାହା ଦୁଇ ଧାଡ଼ିରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ୟଦେଇ ଗଲା।
18ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି। 19କେନୀୟମାନଙ୍କର, କନଜୀୟମାନଙ୍କର ଓ କଦ୍ମୋନୀୟମାନଙ୍କର ଭୂମି ଏହିସବୁ। 20ହୀତ୍ତୀୟମାନଙ୍କର, ପରିଜୀୟମାନଙ୍କର ଓ ରଫାୟୀୟମାନଙ୍କର 21ଇମୋରୀୟମାନଙ୍କର, କିଣାନୀୟମାନଙ୍କର, ଓ ଗିର୍ଗାଶୀୟମାନଙ୍କର ଓ ଯିବୂଷୀୟମାନଙ୍କର ଦେଶ ତୁମ୍ଭକୁ ଦେଲି।”
Tans Gekies:
ଆଦି ପୁସ୍ତକ 15: OERV
Kleurmerk
Deel
Kopieer

Wil jy jou kleurmerke oor al jou toestelle gestoor hê? Teken in of teken aan
Odia Holy Bible: Easy-to-Read Version (OERV)
@ 2004 Bible League International