ଲୂକ 21
21
ବିଧବାର ଦାନ
(ମାର୍କ 12:41-44)
1ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ । 2ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି ଛୋଟ ମୁଦ୍ରା ପକାଉଥିବା ଦେଖି କହିଲେ, 3ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, 4କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।
ମନ୍ଦିର ଧ୍ୱଂସ ବିଷୟରେ ସୂଚନା
(ମାଥିଉ 24:1,2; ମାର୍କ 13:1,2)
5ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ, 6ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।
ଯୁଗ ଶେଷର ଲକ୍ଷଣ
(ମାଥିଉ 24:3-14; ମାର୍କ 13:3-13)
7ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ ? ପୁଣି, ଯେଉଁ ସମୟରେ ଏହି ସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କ'ଣ ? 8ସେଥିରେ ଯୀଶୁ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ । 9ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଲବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ ।
10ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ, 11ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।
12କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; 13ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।
14ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; 15କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ ।
16କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, 17ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ । 18କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; 19ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।
ଯିରୂଶାଲମ ଧ୍ୱଂସ ହେବାର ସୂଚନା
(ମାଥିଉ 24:15-21; ମାର୍କ 13:14-19)
20କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ । 21ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ; 22କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ ।
23ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ, 24ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ ।
ମନୁଷ୍ୟପୁତ୍ରଙ୍କ ପୁନରାଗମନ
(ମାଥିଉ 24:29-31; ମାର୍କ 13:24-27)
25ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ, 26ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ ।
27ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ । 28କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।
ଡିମ୍ବିରି ବୃକ୍ଷରୁ ଶିକ୍ଷା
(ମାଥିଉ 24:32-35; ମାର୍କ 13:28-31)
29ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର; 30ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ; 31ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।
32ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । 33ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।
ସତର୍କ ରହିବାର ଆବଶ୍ୟକତା
(ମାଥିଉ 24:36-44; ମାର୍କ 13:32-37)
34କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ; 35କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ ।
36କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ ।
37ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତିରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ । 38ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ ।
موجودہ انتخاب:
ଲୂକ 21: ORYIRV
سرخی
شئیر
کاپی

کیا آپ جاہتے ہیں کہ آپ کی سرکیاں آپ کی devices پر محفوظ ہوں؟ Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0