ଆଦି ପୁସ୍ତକ 30
30
1ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”
2ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।”
3ଏହା ପରେ ରାହେଲ କହିଲେ, “ମୋର ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହୋଇ ପାରିବି।”
4ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ। 5ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା।
6ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା'ର ନାମ ରଖିଲେ ଦାନ।
7ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ୱିତୀୟ ପୁତ୍ର ଜନ୍ମ କଲା। 8ରାହେଲ କହିଲେ, “ମୁଁ ମୋର ଭଉଣୀ ସହିତ ସଂଘର୍ଷ କରି ଜୟ କଲି।” ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।
9ଲେୟା ଦେଖିଲେ ସେ ଆଉ ପିଲା ଜନ୍ମ କରି ପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବଙ୍କୁ ଦେଲେ। 10ଏହା ପରେ ସିଳ୍ପା ଏକ ପିଲା ଜନ୍ମ କଲା। 11ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା'ର ନାମ ଦେଲା ଗାଦ୍। 12ଲେୟାର ଦାସୀ ସିଳ୍ପା ଦ୍ୱିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା। 13ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା'ର ନାମ ଆଶେର ଦେଲେ।
14ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
15ଲେୟା ଉତ୍ତର ଦେଲେ, “ତୁମ୍ଭେ ମୋ’ ସ୍ୱାମୀକୁ ହରଣ କରିଛ ତୁମ୍ଭେ ମୋର ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।”
କିନ୍ତୁ ରାହେଲ କହିଲେ, “ଯଦି ତୁମ୍ଭେ ମୋତେ ତୁମ୍ଭ ପୁତ୍ରର ଦୂଦାଫଳ ଦିଅ ତେବେ ତୁମ୍ଭେ ଆଜି ରାତ୍ରିରେ ଯାକୁବ ସହିତ ଶୟନ କରି ପାରିବ।”
16ସେହିଦିନ ସନ୍ଧ୍ୟାରେ ଯାକୁବ କ୍ଷେତରୁ ଫେରିବା ପରେ ଲେୟା ତାଙ୍କୁ ସାକ୍ଷାତ କରିବା ପାଇଁ ବାହାରକୁ ଗଲେ ଏବଂ କହିଲେ, “ତୁମ୍ଭେ ଆଜି ରାତିରେ ମୋ’ ପାଖରେ ଶୟନ କରିବ। କାରଣ ମୁଁ ଦୂଦାଫଳ ଦେଇ ତା'ର ବଦଳରେ ତୁମ୍ଭକୁ ପାଇଛି।” ତେଣୁ ସେହି ରାତ୍ରି ସେ ତା’ ସହିତ ଶୋଇଲେ।
17ଏହା ପରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲେ। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦେଲେ। 18ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ।
19ଲେୟା ପୁନରାୟ ଗର୍ଭବତୀ ହୋଇ ଷଷ୍ଠ ସନ୍ତାନକୁ ଜନ୍ମ ଦେଲେ। 20ଲେୟା କହିଲେ, “ପରମେଶ୍ୱର ମୋତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମୋତେ ସମାଦର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦେଇଅଛି।” ତେଣୁ ଲେୟା ତାହାର ନାମ ସବୂଲୂନ୍ ଦେଲେ।
21ଏହା ପରେ ଲେୟା ଏକ କନ୍ୟା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।
22ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ। 23ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି। 24ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା'ର ନାମ ଯୋଷେଫ ରଖିଲେ।
ଯାକୁବ ଲାବନକୁ ଫାନ୍ଦରେ ପକାଇଲେ
25ରାହେଲ ଯୋଷେଫକୁ ଜନ୍ମ ଦେବା ପରେ, ଯାକୁବ ଲାବନକୁ କହିଲେ, “ଏବେ ମୋତେ ମୋର ନିଜ ଦେଶକୁ ଯିବାକୁ ଦିଅ। 26ମୋର ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ମୁଁ ତୁମ୍ଭ ପାଖରେ କାମ କରିଛି। ଏବଂ ତୁମ୍ଭେ ଜାଣ ମୁଁ ଭଲଭାବରେ ତୁମ୍ଭର ସେବା କରିଛି।”
27ଲାବନ ତାଙ୍କୁ କହିଲେ, “ମୋତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ୟା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ହେତୁରୁ ମୋତେ ଆଶୀର୍ବାଦ କରିଛନ୍ତି। 28ମୋତେ କହିବାକୁ ଦିଅ, ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍। ଏବଂ ତାହା ମୁଁ ତୁମ୍ଭକୁ ଦେବି।”
29ଯାକୁବ ଉତ୍ତର ଦେଲେ, “ତୁମ୍ଭେ ଜାଣ ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କରିଛି। ମୁଁ ତୁମ୍ଭର ପଶୁଗଣକୁ ବୃଦ୍ଧି କରିଅଛି। ଏବଂ ବହୁ ଯତ୍ନ ନେଇଅଛି। 30ଯେତେବେଳେ ମୁଁ ଆସିଲି ତୁମ୍ଭର ଖୁବ୍ କମ୍ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମୋ’ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମୋର ନିଜ ପରିବାରକୁ ଯୋଗାଇବା ପାଇଁ ସମୟ ଆସିଛି।”
31ଲାବନ କହିଲେ, “ତେବେ ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍?”
ଯାକୁବ ଉତ୍ତର ଦେଲେ, “ତୁମ୍ଭେ ମୋତେ କିଛି ଦିଅ ନାହିଁ। ଯେବେ ତୁମ୍ଭେ ମୋ’ ପାଇଁ ଗୋଟିଏ କାମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି। 32ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କୃଷ୍ଣବର୍ଣ୍ଣ ମେଷମାନଙ୍କୁ ପୁଣି ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସେହିସବୁ ମୋର ବର୍ତ୍ତନ ସ୍ୱରୁପ ହେବ। 33ଭବିଷ୍ୟତରେ ଯେତେବେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣି ପାରିବ। ଯଦି ତୁମ୍ଭେ ମୋର ମେଷପଲ ଦେଖିବାକୁ ଆସି ପାରିବ। ତୁମ୍ଭେ ମୋର ପଲକୁ ଦେଖି ପାର। ଅର୍ଥାତ୍ ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଛଡ଼ା ଓ ମେଷଗଣ ମଧ୍ୟରେ କୃଷ୍ଣବର୍ଣ୍ଣ ମେଷ ବ୍ୟତୀତ ଯେତେ ଥିବେ ତାହା ମୋହର ଚୌର୍ଯ୍ୟରୂପେ ଗଣ୍ୟ ହେବ।”
34ଲାବନ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ତୁମ୍ଭ ସହିତ ଏକମତ।” 35ସେହି ଦିନ ଲାବନ ବିନ୍ଦୁଚିହ୍ନିତ ଛାଗଳମାନଙ୍କୁ ଲୁଗ୍ଭଇ ଦେଲେ। ଏବଂ ଚିତ୍ରବିଚିତ୍ର ଛାଗ ସବୁକୁ ଲୁଗ୍ଭଇ ଦେଲେ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମେଷଗଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନେବାକୁ ଦେଲେ। 36ସେଥିପାଇଁ ତାଙ୍କର ପୁଅମାନେ ସମସ୍ତ ଚିତ୍ରିତ ପଶୁଗଣକୁ ତିନି ଦିନ ରାସ୍ତା ଦୂରର ଏକ ସ୍ଥାନକୁ ନେଇଗଲେ। ଯାକୁବ ଅନ୍ୟ ସମସ୍ତ ଛାଡ଼ି ଯାଇଥିବା ପଶୁମାନଙ୍କର ଯତ୍ନ ନେଲେ।
37ଯାକୁବ ଲିବ୍ନୀ, ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବକ୍କଳ କାଢ଼ି କାଠର ଶୁକ୍ଳ ରେଖା ବାହାର କଲେ। 38ଏହା ପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବକ୍କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲେ। ତେଣୁ ଜଳପାନ କରିବା ସମୟରେ ସେମାନେ ଫଳବତୀ ହେଲେ। 39ପୁଣି ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମେଷ ଛୁଆମାନ ଜନ୍ମ କଲେ।
40ଯାକୁବ ସେହି ଚିତ୍ରବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ କଲେ। ପୁଣି ଲାବନ ରେଖାଙ୍କିତ ଓ କୃଷ୍ଣବର୍ଣ୍ଣ ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲେ। ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲେ। 41ଯେତେବେଳେ ବଳିଷ୍ଠ ପଶୁଗଣ ସଙ୍ଗମ କରନ୍ତି, ସେ ଜଳକୁଣ୍ଡ ମଧ୍ୟରେ ସେମାନଙ୍କର ଆଖିର ସମ୍ମୁଖରେ ସେହି ଶାଖାଗୁଡ଼ିକ ରଖିଲେ। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲେ ନାହିଁ। 42ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ। 43ଏହିପରି ଯାକୁବ ଅତିଶୟ ଧନୀ ହେଲେ। ଏବଂ ତାଙ୍କର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।
Trenutno izabrano:
ଆଦି ପୁସ୍ତକ 30: OERV
Istaknuto
Podijeli
Kopiraj

Želiš li da tvoje istaknuto bude sačuvano na svim tvojim uređajima? Kreiraj nalog ili se prijavi
Odia Holy Bible: Easy-to-Read Version (OERV)
@ 2004 Bible League International