ଲୂକ 22
22
ଯୀଶୁଙ୍କ ବିରୁଦ୍ଧରେ ଚକ୍ରା;
1ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୋଟୀର ପର୍ବ ନିକଟ ହୋଇ ଆସୁଥିଲା।
2ଆଉ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ତାହାଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୂଦାର ସମ୍ମତି
3ସେତେବେଳେ ଦ୍ଵାଦଶଙ୍କ ସଂଖ୍ୟା ମଧ୍ୟରେ ଅନ୍ତର୍ଗତ ଇଷ୍କାରିୟୋତ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
4ଆଉ, ସେ ଯାଇ, କି ଉପାୟରେ ତାହାଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହସ୍ତରେ ସମର୍ପଣ କରି ପାରେ, ତାହା ସେମାନଙ୍କ ସହିତ ପରାମର୍ଶ କଲା।
5ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
6ଆଉ, ସେ ସମ୍ମତ ହୋଇ ଲୋକସମୂହର ଅସାକ୍ଷାତରେ ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଅନ୍ଵେଷଣ କରିବାକୁ ଲାଗିଲା।
ଶିଷ୍ୟଙ୍କ ସହ ଭୋଜ ପାଳନ
7ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା;
8ଆଉ, ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।
9ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
10ସେ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ, ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ,
11ଗୁରୁ ଆପଣଙ୍କୁ ପଚାରୁ ଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?
12ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରି ଦେଖାଇଦେବେ; ସେସ୍ଥାନରେ ପ୍ରସ୍ତୁତ କର।
13ଆଉ, ସେମାନେ ଯାଇ, ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
ପ୍ରଭୁଭୋଜ ବିଧି ସ୍ଥାପନ
14ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
15ଆଉ, ସେ ସେମାନଙ୍କୁ କହିଲେ, ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକା; ବାଞ୍ଛା କଲି;
16କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ପାଳନ କରିବି ନାହିଁ।
17ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
18କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।
19ପୁଣି, ସେ ରୋଟୀ ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।
20ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
21କିନ୍ତୁ ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
22କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ଵାରା ସେ ଶତ୍ରୁହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର!
23ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
ସବୁଠାରୁ ଶ୍ରେଷ୍ଠ ସମସ୍ତଙ୍କର ସେବକ
24ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
25ସେଥିରେ ସେ ସେମାନଙ୍କୁ କହିଲେ, ବିଜାତିମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ସେମାନେ ଦେଶବନ୍ଧୁ ବୋଲି ଖ୍ୟାତ ହୁଅନ୍ତି।
26କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି ଯେ ନେତା, ସେ ସେବକ ପରି ହେଉ।
27କାରଣ କିଏ ଶ୍ରେଷ୍ଠ? ଯେ ଭୋଜନୋପବିଷ୍ଟ, ନା ଯେ ସେବକ? ଯେ ଭୋଜନୋପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
28ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହିଆସିଅଛ;
29ଏଣୁ ମୋହର ପିତା ଯେପରି ମୋʼ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
30ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋʼ ମେଜରେ ଭୋଜନପାନ କରିବ, ପୁଣି ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀକି ଶାସନ କରିବ।
ପିତରଙ୍କ ଅସ୍ଵୀକାରର ପୂର୍ବ ସୂଚନା
31ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
32କିନ୍ତୁ ତୁମ୍ଭର ବିଶ୍ଵାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।
33ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
34କିନ୍ତୁ ସେ କହିଲେ, ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ଵୀକାର କରିବ।
ଯୀଶୁଙ୍କଠାରେ ବାକ୍ୟର ସଫଳତା
35ଆଉ, ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଯୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ।
36ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ, ଯାହାର ଗାଞ୍ଜିଆ ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ଚାଦରଖଣ୍ତକ ବିକି ଖଣ୍ତା କିଣୁ।
37କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଅଧାର୍ମିକ-ମାନଙ୍କ ସହିତ ଗଣିତ ହେଲେ, ଏହି ଯେଉଁ ବାକ୍ୟ ଲେଖାଅଛି, ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ଯେଣୁ ମୋʼ ସମ୍ଵନ୍ଧୀୟ କଥା ସିଦ୍ଧ ହେଉଅଛି।
38ସେଥିରେ ସେମାନେ କହିଲେ, ପ୍ରଭୋ, ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ତା ଅଛି। ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ।
ଜୀତ ପର୍ବତରେ ଯୀଶୁଙ୍କ ପ୍ରାର୍ଥନା
39ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
40ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।
41ଆଉ, ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଜାନୁ ପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
42ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।
43ଆଉ, ସ୍ଵର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
44ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା।
45ଆଉ, ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
46ପୁଣି, ସେ ସେମାନଙ୍କୁ କହିଲେ, କାହିଁକି ଶୋଉଅଛଣ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ
47ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ଵାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ଵନ କରିବାକୁ ତାହାଙ୍କ ପାଖକୁ ଗଲା।
48କିନ୍ତୁ ଯୀଶୁ ତାହାକୁ କହିଲେ, ହେ ଯିହୂଦା, ଚୁମ୍ଵନ ଦ୍ଵାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁହସ୍ତରେ ସମର୍ପଣ କରୁଅଛ?
49ଏଥିରେ କଅଣ ଘଟିବ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୋ, ଆମ୍ଭେମାନେ କʼଣ ଖଡ଼୍ଗରେ ଆଘାତ କରିବା?
50ଆଉ, ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର ଡାହାଣ କାନ କାଟି ପକାଇଲେ।
51କିନ୍ତୁ ଯୀଶୁ ଉତ୍ତର ଦେଲେ, ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
52ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ତା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
53ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋʼ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ, କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।
ପିତରଙ୍କ ଯୀଶୁଙ୍କୁ ଅସ୍ଵୀକାର
54ପରେ ସେମାନେ ତାହାଙ୍କୁ ଧରି ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
55ଆଉ, ସେମାନେ ପ୍ରାଙ୍ଗଣର ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ, ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
56ଜଣେ ଦାସୀ ତାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
57କିନ୍ତୁ ସେ ଅସ୍ଵୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
58ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
59ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହାର ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
60କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କଥା କହୁ କହୁ କୁକୁଡ଼ା ଡାକିଲା,
61ପୁଣି ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ,
62ତାହା ତାଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟ; ବ୍ୟାକୁଳ ହୋଇ ରୋଦନ କଲେ।
ଯୀଶୁଙ୍କୁ ପରିହାସ ଓ ପ୍ରହାର
63ଆଉ, ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
64ପୁଣି ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ ! କହ ତ, କିଏ ତୋତେ ମାଇଲା?
65ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
ମହାସଭାରେ ଯୀଶୁଙ୍କ ବିଚାର
66ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ, ପୁଣି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
67କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ଵାସ କରିବେ ନାହି;
68ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
69କିନ୍ତୁ ଅଦ୍ୟାବଧି ମନୁଷ୍ୟପୁତ୍ର ଈଶ୍ଵରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ହେବେ।
70ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ଵରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।
71ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।
Aktualisht i përzgjedhur:
ଲୂକ 22: ODIAOV-BSI
Thekso
Ndaje
Copy
A doni që theksimet tuaja të jenë të ruajtura në të gjitha pajisjet që keni? Regjistrohu ose hyr
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.