YouVersion လိုဂို
ရှာရန် အိုင်ကွန်

ଲୂକ 4

4
ଯୀଶୁଙ୍କ ପରୀକ୍ଷା
1ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ବାହୁଡ଼ିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ଵାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ।
2ସେହିସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ।
3ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ।
4ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ।
5ଆଉ, ସେ ତାହାଙ୍କୁ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା।
6ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ଵର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ।
7ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ।
8ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।
9ପୁଣି, ସେ ତାହାଙ୍କୁ ଯିରୂଶାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼;
10କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
11ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।
12ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, ଉକ୍ତ ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ।
13ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲା ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ
14ଏଥିଉତ୍ତାରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକି ବାହୁଡ଼ିଗଲେ, ଆଉ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ତାହାଙ୍କର ଖ୍ୟାତି ବ୍ୟାପିଗଲା।
15ପୁଣି, ସେ ସେମାନଙ୍କର ସମାଜଗୃହସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ।
ନାଜରିତରେ ଯୀଶୁ ଉପେକ୍ଷିତ
16ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।
17ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
18ପ୍ରଭୁଙ୍କର ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ, ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ,
19ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି।
20ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇ ଦେଇ ଉପବେଶନ କଲେ, ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା।
21ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ସଫଳ ହେଲା।
22ଆଉ, ସମସ୍ତେ ତାହାଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?
23ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ହେ ବୈଦ୍ୟ, ଆପେ ଆପଣାକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପୈତୃକ ନଗରରେ ମଧ୍ୟ କର।
24ପୁଣି, ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପୈତୃକ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ।
25କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ରୁଦ୍ଧ ହେବାରୁ ସମସ୍ତ ଦେଶରେ ମହା ଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ;
26ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପ୍ରେରିତ ହେଲେ।
27ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସୁରିଆଦେଶୀୟ ନାମାନ ଶୁଚି କରାଯାଇଥିଲେ।
28ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ,
29ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରି ଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇଦେବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ;
30କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ଅଶୁଚି ଭୂତାତ୍ମାବିଷ୍ଟ ବ୍ୟକ୍ତିର ସୁସ୍ଥତା
31ସେ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ,
32ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା।
33ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତାତ୍ମାବିଷ୍ଟ ଲୋକ ଥିଲା; ସେ ଉଚ୍ଚ ସ୍ଵରରେ ଚିତ୍କାର କଲା,
34ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ଵରଙ୍କର ସେହି ପବିତ୍ର ବ୍ୟକ୍ତି।
35ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା। ସେଥିରେ ସେହି ଭୂତ ତାହାକୁ ମଧ୍ୟସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।
36ଏଥିରେ ସମସ୍ତେ ବିସ୍ମୟାନ୍ଵିତ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରି ଯାଆନ୍ତି।
37ସେଥିରେ ତାହାଙ୍କ ସମ୍ଵନ୍ଧୀୟ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା।
ଅନେକ ଲୋକଙ୍କ ସୁସ୍ଥତା
38ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ଵର ହୋଇଥିଲା, ଆଉ ସେମାନେ ତାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ।
39ସେଥିରେ ସେ ତାଙ୍କ ପାଖରେ ଠିଆ ହୋଇ ଜ୍ଵରକୁ ଧମକ ଦେଲେ, ଆଉ ତାଙ୍କୁ ଜ୍ଵର ଛାଡ଼ିଗଲା, ପୁଣି ସେ ସେହିକ୍ଷଣି ଉଠି ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ।
40ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।
41ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ଵରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରି-ଗଲେ। ଆଉ, ସେ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।
ଯୀଶୁଙ୍କ ଉପାସନା ଗୃହମାନଙ୍କରେ ପ୍ରଚାର
42ପ୍ରଭାତ ହୁଅନ୍ତେ, ସେ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କର ଅନ୍ଵେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।
43କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥି-ନିମନ୍ତେ ମୁଁ ପ୍ରେରିତ ହୋଇଅଛି।
44ପୁଣି, ସେ ଯିହୁଦା ଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।

လက်ရှိရွေးချယ်ထားမှု

ଲୂକ 4: ODIAOV-BSI

အရောင်မှတ်ချက်

မျှဝေရန်

ကူးယူ

None

မိမိစက်ကိရိယာအားလုံးတွင် မိမိအရောင်ချယ်သောအရာများကို သိမ်းဆည်းထားလိုပါသလား။ စာရင်းသွင်းပါ (သို့) အကောင့်ဝင်လိုက်ပါ

ଲୂକ 4 အကြောင်း ဗီဒီယိုများ