ଯୋହନ 2
2
ବିବାହ ଉତ୍ସବରେ ଯୀଶୁ
1ଏହାର ଦୁଇ ଦିନ ପରେ ଗାଲିଲୀ ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା’ ସେଠାରେ ଉପସ୍ଥିତ ଥିଲେ। 2ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହେଇ ସେଠାକୁ ଯାଇଥିଲେ। 3ଭୋଜି ଶେଷ ନ ହେବା ପୂର୍ବରୁ ଦ୍ରାକ୍ଷାରସ ସରିଯିବାରୁ ତାଙ୍କ ମା’ ଯୀଶୁଙ୍କୁ କହିଲେ, “ସେମାନଙ୍କ ପାଖରେ ଆଉ ଟିକିଏ ହେଲେ ଦ୍ରାକ୍ଷାରସ ନାହିଁ।”
4ଯୀଶୁ ଉତ୍ତର ଦେଲେ: “ମୋତେ କ’ଣ କରିବାକୁ ହେବ, ତୁମେ କହିବା ଦରକାର ନାହିଁ। ମୋର ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ।”
5ଯୀଶୁଙ୍କ ମା’ ପରିଚାରକମାନଙ୍କୁ କହିଲେ, “ସେ ଯାହା କହିବେ, ତାହା କର।”
6ଇହୁଦୀମାନଙ୍କର ଶାସ୍ତ୍ରୀୟ ରୀତି ଅନୁଯାୟୀ ଅଙ୍ଗ ପ୍ରକ୍ଷାଳନ କରି ଶୁଚି ହେବା ପାଇଁ ସେଠାରେ ପ୍ରସ୍ତର ନିର୍ମିତ ଛଅଟି ବଡ଼ ବଡ଼ ପାଣିକୁଣ୍ଡ ଥିଲା। ପ୍ରତ୍ୟେକଟି କୁଣ୍ଡରେ ପ୍ରାୟ ଏକ ଶହ ଲିଟର ପାଣି ଧରି ପାରିବ। 7ଯୀଶୁ ପରିଚାରକମାନଙ୍କୁ କହିଲେ, “ଏହି କୁଣ୍ଡଗୁଡ଼ିକରେ ପାଣି ଭର୍ତ୍ତି କର।” କୁଣ୍ଡସବୁ ପୂର୍ଣ୍ଣ ହେବ ପରେ 8ଯୀଶୁ ସେମାନଙ୍କୁ କହିଲେ: “ଏଥିରୁ କିଛି ନେଇ ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦିଅ।” ସେମାନେ ତାହା କଲେ। 9ସେତେବେଳେ ସେହି ଜଳସବୁ ଦ୍ରାକ୍ଷାରସରେ ପରିଣତ ହୋଇଥିଲା। ପରିଚାରକମାନେ ଜାଣିଥିଲେ, ଏହି ଦ୍ରାକ୍ଷାରସ କେଉଁଠୁ ଆସିଛି। ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତି ତାହା ଚାଖିଲେ ଓ ତାହା କେଉଁଠୁ ଆସିଛି ଜାଣି ନ ଥିବାରୁ ବରକୁ ପଚାରିଲେ, 10“ସମସ୍ତେ ସବୁଠୁ ଉକ୍ରୃଷ୍ଟ ଦ୍ରାକ୍ଷାରସ ପ୍ରଥମେ ପରିବେଷଣ କରନ୍ତି ଏବଂ ଅତିଥିମାନେ ତାହା ପାନ କରି ପରିତୃପ୍ତ ହେବା ପରେ ସାଧାରଣ ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମେ ସବୁଠାରୁ ଭଲ ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ରଖିଛ!”
11ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।
12ଏହାପରେ ଯୀଶୁ, ତାଙ୍କ ମା’, ଭାଇମାନେ ଓ ଶିଷ୍ୟମାନେ କପର୍ନାହୂମକୁ ଯାଇ ସେଠାରେ କିଛିଦିନ ରହିଲେ।#ମାଥିଉ ୪:୧୩।
ଯୀଶୁ ଯିରୂଶାଲମ ମନ୍ଦିରକୁ ଗଲେ
(ମାଥିଉ ୨୧:୧୨-୧୩; ମାର୍କ ୧୧:୧୫-୧୭; ଲୂକ ୧୯:୪୫-୪୬)
13ଇହୁଦୀମାନଙ୍କର ନିସ୍ତାର ପର୍ବ ଅତି ନିକଟ ହୋଇ ଆସିଲା। ତେଣୁ ଯୀଶୁ ଯିରୂଶଶଲମକୁ ଗଲେ।#ଯାତ୍ରା. ୧୨:୧-୨୭। 14ସେଠାରେ ସେ ଦେଖିଲେ, ମନ୍ଦିର ଭିତରେ ଲୋକେ ଗୋରୁଗାଈ, ମେଣ୍ଢା ଓ ପାରା ବ୍ୟବସାୟ କରୁଛନ୍ତି ଓ ମୁଦ୍ରା ବିନିମୟକାରୀମାନେ ମେଜ ଉପରେ ସେମାନଙ୍କ ମୁଦ୍ରାସବୁ ସଜାଇ ବସିଛନ୍ତି। 15ଯୀଶୁ ଦଉଡ଼ି ବଳି ଗୋଟିଏ ଚାବୁକ ତିଆରି କଲେ ଏବଂ ଗୋରୁ, ମେଣ୍ଢାମାନଙ୍କୁ ମନ୍ଦିରରୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜସବୁ ଓଲଟାଇ ଦେଇ ମୁଦ୍ରାଗୁଡ଼ିକୁ ତଳେ ବିଞ୍ଚି ଦେଲେ। 16ପାରା ବିକ୍ରେତାମାନଙ୍କୁ ଆଦେଶ ଦେଲେ, “ଏସବୁ ଏଠାରୁ ବାହାର କର। ମୋ’ ପିତାଙ୍କ ଗୃହକୁ ହାଟ ବଜାରରେ ପରିଣତ କର ନାହିଁ।” 17ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, “ତୁମ ଗୃହ ପ୍ରତି ମୋର ଭକ୍ତି ମୋ’ ଭିତରେ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଛି।”#ଗୀତ. ୬୯:୯।
18ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ପ୍ରଶ୍ନ କଲେ, “ଏଭଳି କାର୍ଯ୍ୟ କରିବା ପାଇଁ ତୁମର ଅଧିକାର ଅଛି ବୋଲି ତୁମେ କି ଅଲୌକିକ କାର୍ଯ୍ୟ ଦ୍ୱାରା ପ୍ରମାଣ ଦେଇ ପାରିବ?”
19ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ଭାଙ୍ଗି ଦେଲେ, ତିନି ଦିନରେ ମୁଁ ତାକୁ ପୁଣି ତୋଳି ଦେବି।”#ମାଥିଉ ୨୬:୬୧; ୨୭:୪୦; ମାର୍କ ୧୪:୫୮; ୧୫:୨୯।
20ସେମାନେ କହିଲେ, “କ’ଣ ତିନି ଦିନ ଭିତରେ ତୁମେ ତାକୁ ତିଆରି କରିଦେଇ ପାରିବ? ଏହାକୁ ତିଆରି କରିବା ପାଇଁ ଯେ ଛୟାଳିଶ ବର୍ଷ ଲାଗିଥିଲା।”
21କିନ୍ତୁ ଯୀଶୁ ତାଙ୍କ ନିଜର ଶରୀରରୂପ ମନ୍ଦିରକୁ ଲକ୍ଷ୍ୟ କରି ଏକଥା କହିଥିଲେ। 22ତାଙ୍କ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କର ମନେ ପଡ଼ିଲା ଯେ ସେ ଏହା କହିଥିଲେ। ତେଣୁ ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥାରେ ବିଶ୍ୱାସ କଲେ।
ଯୀଶୁ ମନୁଷ୍ୟ ପ୍ରକୃତି ଜାଣିଥିଲେ
23ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ। 24କିନ୍ତୁ ଯୀଶୁ ସେମାନଙ୍କ ଉପରେ ଆସ୍ଥା ରଖିପାରିଲେ ନାହିଁ, କାରଣ ସେ ସେମାନଙ୍କୁ ଭଲଭାବେ ଜାଣିଥିଲେ। 25ସେମାନଙ୍କ ବିଷୟରେ ତାଙ୍କୁ କେହି କିଛି କହିବା ଆବଶ୍ୟକ ନ ଥିଲା, କାରଣ ଯୀଶୁ ସେମାନଙ୍କ ଅନ୍ତରର କଥା ଜାଣିପାରୁଥିଲେ।
Селектирано:
ଯୋହନ 2: ODCLBSI
Нагласи
Сподели
Спореди
Копирај
Дали сакаш да ги зачуваш Нагласувањата на сите твои уреди? Пријави се или најави се
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.