ଲୂକ 16
16
ଚତୁର ବେବର୍ତ୍ତା
1ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ - “ଜଣେ ଧନୀ ଲୋକର ସମ୍ପତ୍ତି ତତ୍ତ୍ୱାବଧାନ କରିବା ପାଇଁ ଯେଉଁ ବେବର୍ତ୍ତା ଥିଲା, ସେ ତାଙ୍କର ଧନ ଅପଚୟ କରୁଛି ବୋଲି ଧନୀ ଲୋକ ଶୁଣି ପାରିଲେ। 2ତେଣୁ ସେ ତାକୁ ଡ଼ାକି କହିଲେ, ‘ମୁଁ ତୁମ ବିଷୟରେ ଏ କ’ଣ ଶୁଣୁଛି? ତୁମେ ମୋ’ ସମ୍ପତ୍ତି ପରିଚାଳନାର ସମ୍ପୂର୍ଣ୍ଣ ହିସାବ ଦିଅ, ତୁମେ ଆଉ ମୋର ବେବର୍ତ୍ତା ହୋଇ ରହିପାରିବ ନାହିଁ।’ 3ବେବର୍ତ୍ତାଟି ଭାବିଲା, ‘ମୋର ମାଲିକ ମୋତେ ଚାକିରୀରୁ ବାହାର କରିବାକୁ ଯାଉଛନ୍ତି। ମୁଁ କ’ଣ କରିବି? ମାଟି ଖୋଳିବା ପାଇଁ ମୋର ବଳ ନାହିଁ, ଆଉ ଭିକ୍ଷା ମାଗିବାକୁ ମୋତେ ଲାଜ ମାଡ଼ୁଛି। 4ବର୍ତ୍ତମାନ ମୁଁ ଜାଣେ, ମୋତେ କ’ଣ କରିବାକୁ ହେବ; ମୁଁ ଅନେକଙ୍କ ସହିତ ବନ୍ଧୁତା ସ୍ଥାପନ କରିବି। ମୋର ଚାକିରୀ ଚାଲିଗଲା ପରେ ସେମାନଙ୍କ ଗୃହରେ ମୋତେ ଆଶ୍ରୟ ମିଳିବ।’
5“ଯେଉଁମାନେ ଘର ମାଲିକଙ୍କଠାରୁ ଋଣ ନେଇଥିଲେ, ସେମାନଙ୍କୁ ସେ ଡ଼ାକି ପ୍ରଥମ ଜଣକୁ କହିଲା, ‘ତୁ ମୋର ମାଲିକଙ୍କଠାରୁ କେତେ ଧାର କରିଛୁ?’ 6ସେ କହିଲା, ‘ଏକ ଶହ ପିପା ତେଲ’। ବେବର୍ତ୍ତା କହିଲା, ‘ଏଇ ତୋର ରସିଦ୍, ଏଥିରେ ପଚାଶ ବୋଲି ଲେଖିଦେ।’ 7ତା’ପରେ ସେ ଆଉ ଜଣକୁ ପଚାରିଲା, ‘ଆଉ ତୁ - କେତେ କରଜ କରିଛୁ?’ ସେ କହିଲା, ‘ଏକ ହଜାର ବସ୍ତା ଗହମ,’ ବେବର୍ତ୍ତା ତାକୁ କହିଲା, ‘ଏଇ ତୋର ରସିଦ୍, ଏଥିରେ ଆଠ ଶହ ବୋଲି ଲେଖିଦେ।’
8“ବେବର୍ତ୍ତାର ଚତୁରତା ଦେଖି ମାଲିକ ମନେ ମନେ ତାକୁ ତାରିଖ ପଲେ। ଏହି ଯୁଗର ଲୋକମାନେ ନିଜର କାର୍ଯ୍ୟ ସାଧନ କରିବାରେ ଆଲୋକ ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର।
9“ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ଜାଗତିକ ଧନ ସାହାଯ୍ୟରେ ବନ୍ଧୁ ଲାଭ କର। ତାହାହେଲେ, ଯେତେବେଳେ ତୁମ ପାଇଁ ଧନ ନିରର୍ଥକ ହେବ, ସେତେବେଳେ ତୁମେ ନିତ୍ୟସ୍ଥାୟୀ ବାସ ସ୍ଥାନରେ ଗୃହୀତ ହେବ। 10ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ। 11ଯଦି ତୁମ୍ଭେମାନେ ଜାଗତିକ ଧନର ପରିଚାଳନାରେ ଅବିଶ୍ୱସ୍ତ ହୋଇଛ, ତେବେ ଶାଶ୍ୱତ ଧନ ପାଇଁ ତୁମ୍ଭମାନଙ୍କୁ କିପରି ବିଶ୍ୱାସ କରାଯିବ? 12ପୁଣି ଯାହା ଅନ୍ୟର, ସେଥିରେ ଯଦି ତୁମେ ବିଶ୍ୱସ୍ତ ହୋଇ ନାହଁ, ତେବେ ଯାହା ତୁମ ନିଜର, ତାହା କିଏ ତୁମ୍ଭମାନଙ୍କୁ ଦେବ?
13“ଜଣେ ଦାସ ଦୁଇ ମୁନିବର ସେବା କରି ନ କାରେ; ସେ ଜଣକୁ ଅବଜ୍ଞା କରିବ ଓ ଅନ୍ୟର ଅନୁଗତ ହେବ; ସେ ଜଣକ ପ୍ରତି ବିଶ୍ୱସ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ସେବା କରି ପାରିବ ନାହିଁ।”
ଯୀଶୁଙ୍କର କେତୋଟି ଉକ୍ତି
(ମାଥିଉ ୧୧:୧୨-୧୩; ୫:୩୧-୩୨; ମାର୍କ ୧୦:୧୧-୧୨)
14ଫାରୁଶୀମାନେ ଏହିସବୁ ଶୁଣିବା ପରେ ଯୀଶୁଙ୍କୁ ବିଦ୍ରୂପ କଲେ, କାରଣ ସେମାନେ ଧନ ପ୍ରତି ଆସକ୍ତ ଥିଲେ। 15ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।
16“ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାଗୁଡ଼ିକ ଦୀକ୍ଷାଦାତା ଯୋହନଙ୍କ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ଶୁଭବାର୍ତ୍ତା ପ୍ରଚାରିତ ହୋଇଛି ଓ ସମସ୍ତେ ସେଥିରେ ପ୍ରବେଶ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। 17ଆକାଶ ଓ ପୃଥିବୀ ବରଂ ଲୋପ ପାଇଯିବା ସହଜ, କିନ୍ତୁ ବ୍ୟବସ୍ଥାର କୌଣସି ବିଷୟ ଲୋପ ପାଇବ ନାହିଁ।#ମାଥିଉ ୫:୧୮।
18“ଯେ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ଏବଂ ଯେ ଗୋଟିଏ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।#ମାଥିଉ ୫:୩୨; ୧ କରିନ୍ଥୀ ୭:୧୦-୧୧।
ଧନୀ ଓ ଲାଜାର
19“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା। 20କିନ୍ତୁ ତା’ ଫାଟକ ପାଖରେ ଲାଜାର ବୋଲି ଜଣେ ଅସହହାୟ ଭିକାରୀ ପଡ଼ି ରହିଥାଏ। 21ଧନୀ ଲୋକର ମେଜରୁ ପଡ଼ୁଥିବା ଅଇଁଠା ଖାଇବାକୁ ସେ ଚାହିଁ ରହିଥାଏ - ତା’ ଦେହ ଘା’ ପୂର୍ଣ୍ଣ ହୋଇଥିଲା ଓ କୁକୁରମାନେ ଆସି ତା’ ଘା’ ଚାଟୁଥିଲେ।
22“କାଳକ୍ରମେ ଭିକାରୀଟି ମରିଗଲା ଓ ସ୍ୱର୍ଗର ଦୂତମାନେ ତାକୁ ଅବ୍ରାହାମଙ୍କ ନିକଟକୁ ନେଇଗଲେ। ଧନୀ ଲୋକଟି ମଧ୍ୟ ମରିଗଲା ଏବଂ ତାକୁ କବର ଦିଆଗଲା। 23ସେ ନଗକରେ ପଡ଼ି ଯନ୍ତ୍ରଣାରେ କଲବଲ ହେବା ସମୟରେ, ଉପରକୁ ଚାହିଁ ଅବ୍ରାହମ ଓ ତାଙ୍କ ପାଖରେ ଲାଜାରକୁ ଦେଖିଲା। 24ସେ ଚିକ୍ରାର କରି କହିଲା, ‘ହେ ପିତା ଅବ୍ରାହାମ! ମୋ’ ପ୍ରତି ଦୟା କରନ୍ତୁ; ଲାଜାରକୁ ପଠାନ୍ତୁ, ସେ ତା’ ଅଙ୍ଗୁଳିରେ ଟିକେ ପାଣି ମୋ’ ଜିଭରେ ଦେଇ ଶୀତଳ କରିବ - ଏହି ଅଗ୍ନିରେ ମୁଁ ବଡ଼ କଷ୍ଟ ପାଉଛି।’
25“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ। 26ତା’ଛଡ଼ା ତୁମ ଆମ ମଧ୍ୟରେ ଏକ ବିରାଟ ଗହ୍ୱର ବ୍ୟବଧାନ ଅଛି, ତେଣୁ ଏଠାରୁ ତୋ’ ନିକଟକୁ କେହି ଇଚ୍ଛା କଲେ ମଧ୍ୟ ଯାଇ ପାରିବ ନାହିଁ, କିମ୍ବା ତୁ ଯେଉଁଠାରେ ଅଛୁ, ସେଠାରୁ କେହି ଆମ ନିକଟକୁ ଆସି ପାରିବେ ନାହିଁ।’ 27ଧନୀ ଲୋକଟି କହିଲା ‘ତେବେ ହେ ପିତା ଅବ୍ରାହମ, ମୁଁ ବିନତି କରୁଛି, ଲାଜାରକୁ ମୋର ବାପାଙ୍କ ଘରକୁ ପଠାନ୍ତୁ। 28ସେଠାରେ ମୋର ପାଞ୍ଚ ଭାଇ ଅଛନ୍ତି। ସେ ଯାଇ ସେମାନଙ୍କୁ ସତର୍କ କରାଇ ଦେଇ, ଯେପରି ସେମାନେ ଅନ୍ତତଃ ଏ ଯନ୍ତ୍ରଣାପୂର୍ଣ୍ଣ ସ୍ଥାନକୁ ଆସିବେ ନାହିଁ।’
29“ଅବ୍ରାହମ କହିଲେ, ‘ତୋର ଭାଇମାନଙ୍କୁ ସତର୍କ କରାଇବା ପାଇଁ ମୋଶା ଓ ଭାବବାଦୀମାନେ ଅଛନ୍ତି; ସେମାନେ ଯାହା କହିଛନ୍ତି, ତୋର ଭାଇମାନେ ତାହା ଶୁଣିବା ଉଚିତ।’ 30ଧନୀ ଲୋକଟି ଉତ୍ତର ଦେଲା, ‘ହେ ପିତା ଅବ୍ରାହମ, ସେତିକି ଯଥେଷ୍ଟ ନୁହେଁ। କିନ୍ତୁ ଯଦି କେହି ମୃତ୍ୟୁରୁ ଉତ୍ଥିତ ହୋଇ ସେମାନଙ୍କ ନିକଟକୁ ଯିବ, ତେବେ ସେମାନେ ସେମାନଙ୍କ ପାପରୁ ମନ ଫେରାଇବେ।’ 31କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”
Pašlaik izvēlēts:
ଲୂକ 16: ODCLBSI
Izceltais
Kopēt
Salīdzināt
Dalīties
Vai vēlies, lai tevis izceltie teksti tiktu saglabāti visās tavās ierīcēs? Reģistrējieties vai pierakstieties
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.