ଯୋହନ 14
14
ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ
1 “ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କର, ମୋʼ ଠାରେ ମଧ୍ୟ ବିଶ୍ୱାସ କର। 2ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; 3ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି। 4ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ।” 5ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ? 6ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। 7ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।” 8ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। 9ଯୀଶୁ ତାହାଙ୍କୁ କହିଲେ, “ଫିଲିପ୍ପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ? 10ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। 11ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। 12ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। 13ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋʼ ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି। 14ଯଦି ତୁମ୍ଭେମାନେ ମୋʼ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି।”
ପବିତ୍ର ଆତ୍ମାଙ୍କ ଦାନର ପ୍ରତିଜ୍ଞା
15 “ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ। 16ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, 17ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ। 18ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି। 19ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ। 20ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋʼ ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। 21ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି।” 22ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କଅଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? 23ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। 24ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର। 25ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି। 26କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋʼ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। 27ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। 28ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି ଆସୁଅଛି, ମୋହର ଏହି କଥା ତ ଶୁଣିଅଛ। ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋʼଠାରୁ ମହାନ। 29ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି। 30ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋʼ ଠାରେ ତାହାର କିଛି ହିଁ ନାହିଁ; 31କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥିନିମନ୍ତେ ଏପରି ଘଟୁଅଛି।
ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ।”
ಪ್ರಸ್ತುತ ಆಯ್ಕೆ ಮಾಡಲಾಗಿದೆ:
ଯୋହନ 14: IRVOry
ಹೈಲೈಟ್ ಮಾಡಿ
ಹಂಚಿಕೊಳ್ಳಿ
ಕಾಪಿ

ನಿಮ್ಮ ಎಲ್ಲಾ ಸಾಧನಗಳಲ್ಲಿ ನಿಮ್ಮ ಮುಖ್ಯಾಂಶಗಳನ್ನು ಉಳಿಸಲು ಬಯಸುವಿರಾ? ಸೈನ್ ಅಪ್ ಮಾಡಿ ಅಥವಾ ಸೈನ್ ಇನ್ ಮಾಡಿ
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.