ଯୋହନ 10
10
ଯୀଶୁ ଉତ୍ତମ ମେଷପାଳକ
1 “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ। 3ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ। 4ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।” 6ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ।
7ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର। 8ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ। 9ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। 10ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।
11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। 12ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), 13କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ। 14ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, 15ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ। 16ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ। 17ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। 18କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।” 19ଏହି ସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା। 20ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ? 21ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ?
ପିତା ଓ ପୁତ୍ର ଏକ
22ସେତେବେଳେ ଯିରୂଶାଲମ ସହରରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ, 23ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ। 24ସେଥିରେ ଯିହୁଦୀ ଲୋକମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ। 25ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି; 26କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ। 27ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, 28ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। 29ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। 30ମୁଁ ଓ ପିତା ଏକ। 31ଯିହୁଦୀ ଲୋକମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ। 32ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ?” 33ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ ପଥର ଫୋପାଡ଼ୁଅଛୁ। 34ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ବରଗଣ? 35ଯେଉଁମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ବରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ), 36ତାହାହେଲେ ଯାହାଙ୍କୁ ଈଶ୍ବର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ବରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ବର ନିନ୍ଦା କରୁଅଛୁ ବୋଲି କହୁଅଛ? 37ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ; 38କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋʼ ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ୱାସ କର।” 39ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ। 40ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନ ନଦୀର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ। 41ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ; 42ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
Trenutno odabrano:
ଯୋହନ 10: IRVOry
Istaknuto
Podijeli
Kopiraj

Želiš li svoje istaknute stihove spremiti na sve svoje uređaje? Prijavi se ili registriraj
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.