ଯୋହନ 14
14
ଯୀଶୁ ହିଁ ପଥ
1ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର। 2ମୋ’ ପିତାଙ୍କ ଗୃହରେ ଅନେକ କୋଠରୀ ଅଛି। ସେଠାରେ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ମୁଁ ଯାଉଛି। ସତ୍ୟ ହୋଇ ନ ଥିଲେ, ମୁଁ ତୁମକୁ ଏ କଥା କହି ନ ଥାନ୍ତି। 3ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ। 4ମୁଁ ଯେଉଁଠାକୁ ଯାଉଛି, ସେଠାକୁ ଯିବାର ପଥର ତୁମେ ଜାଣିଛ।”
5ଥୋମା କହିଲେ, “ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି, ଆମେ ଜାଣି ନାହୁଁ; ସେଠାକୁ ଯିବାର ବାଟ କିପରି ଜାଣିବୁ?”
6ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ। 7ମୋତେ ଜାଣିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିବ। ଏହି ସମୟରୁ ତୁମ୍ଭେମାନେ ତାଙ୍କୁ ଜାଣିପାରିଛ ଓ ଦେଖିପାରିଛ।”
8ଫିଲିପ୍ କହିଲେ, “ପ୍ରଭୁ, ପିତାଙ୍କୁ ଦେଖାଇ ଦିଅନ୍ତୁ। ସେତିକି ଆମ ପାଇଁ ଯଥେଷ୍ଟ।”
9ଯୀଶୁ କହିଲେ, “ଫିଲିପ୍, ଏତେ ଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ଯେ ମୋତେ ଦେଖିଛି, ସେ ମୋ’ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ? 10ମୁଁ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ଏ କଥା ତୁମେ ବିଶ୍ୱାସ କରିପାରୁନାହଁ, ଫିଲିପ୍? ଯେଉଁ କଥାସବୁ ମୁଁ କହୁଛି, ତାହା ମୋ’ ନିଜର ନୁହେଁ। ମୋ’ଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି। 11ମୁଁ ଯେ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ମୋର ଏ କଥାରେ ବିଶ୍ୱାସ କର। ମୋର ଏ କଥାରେ ଯଦି ବିଶ୍ୱାସ କରିବ ନାହିଁ, ମୋର କାର୍ଯ୍ୟ ଦେଖି ବିଶ୍ୱାସ କର। 12ସତ୍ୟ କହୁଛି, ମୋ’ଠାରେ ଯେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟସବୁ ସେ କରିପାରିବ। ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ’ ପିତାଙ୍କ ନିକଟକୁ ଯାଉଛି 13ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ। 14ମୋ’ ନାମ ନେଇ ମୋତେ#14:14 କେତେକ ପାଣ୍ଡୁଲିପିରେ ଏଠାରେ “ମୋତେ” ଶବ୍ଦଟି ବାଦ ଦିଆଯାଇଛି। ଯାହା କିଛି ମାଗିବ, ମୁଁ ତୁମ୍ଭମାନଙ୍କୁ ତାହା ଦେବି।
ପବିତ୍ରଆତ୍ମା ଦାନର ପ୍ରତିଶ୍ରୁତି
15“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ। 16ମୁଁ ମୋ’ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ। 17ସେ ହେଉଛନ୍ତି, ‘ସତ୍ୟମୟ ଆତ୍ମା’। ଏହି ଜଗତ ତାଙ୍କୁ ଗ୍ରହଣ କରିପାରିବ ନାହିଁ, କାରଣ ଜଗତ ତାଙ୍କୁ ଦେଖିପାରିବ ନାହିଁ, କି ଚିହ୍ନି ପାରିବ ନାହିଁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ଜାଣିବ। କାରଣ ତୁମ୍ଭମାନଙ୍କ ସହିତ ସେ ବାସ କରିବେ। ତୁମ ଅନ୍ତରରେ ସେ ରହିବେ।
18“ମୁଁ ଚାଲିଗଲା ପରେ ତୁମେ ନିଃସହାୟ ହୋଇ ରହିବ ନାହିଁ। ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି। 19ଅଳ୍ପ ସମୟ ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ଦେଖିବ ଏବଂ ଯେହେତୁ ମୁଁ ଚିରଞ୍ଜୀବୀ, ତୁମେ ମଧ୍ୟ ମୋ’ ସହିତ ଜୀବିତ ରହିବ। 20ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।
21“ଯେ ମୋର ଆଜ୍ଞା ଗ୍ରହଣ କରି ପାଳନ କରେ, ସେ ହିଁ ମୋତେ ପ୍ରେମ କରେ। ଯେ କେହି ମୋତେ ପ୍ରେମ କରେ, ମୋ’ ପିତା ତାକୁ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରି ତା’ଠାରେ ନିଜକୁ ପ୍ରକାଶ କରିବି।”
22ଯିହୁଦା (ଇଷ୍କରିୟୋଥ ଯିହୁଦା ନୁହେଁ) ପଚାରିଲା- “ଏହା କିପରି ହେବ? ନିଜକୁ ଜଗତ ନିକଟରେ ପ୍ରକାଶ ନ କରି ଆମ ନିକଟରେ କିପରି ପ୍ରକାଶ କରିବେ?”
23ଯୀଶୁ କହିଲେ, “ଯେ ମୋତେ ପ୍ରେମ କରେ, ସେ ମୋ’ ବାକ୍ୟ ପାଳନ କରିବ। ତା’ହେଲେ ମୋ’ ପିତା ତାକୁ ପ୍ରେମ କରିବେ ଏବଂ ମୋ’ ପିତା ଓ ମୁଁ ଆସି ତା’ ଅନ୍ତରରେ ବାସ କରିବୁ। 24ଯେ ମୋତେ ପ୍ରେମ କରେ ନାହିଁ, ସେ ମୋ’ ବାକ୍ୟ ପାଳନ କରେ ନାହିଁ। ମୁଁ ଦେଇଥିବା ଶିକ୍ଷା ମୋର ନୁହେଁ, ତାହା ମୋର ପ୍ରେରଣକର୍ତ୍ତା ପିତା ଈଶ୍ୱରଙ୍କର।
25“ମୁଁ ତୁମ୍ଭମାନଙ୍କ ପାଖରେ ଥାଉଁ ଥାଉଁ ଏହି ସବୁ କଥା ଜଣାଇଦେଲି। 26ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।
27“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।
28“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ। 29ଯାହା ସବୁ ଘଟିବାର ଅଛି, ତାହା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇଦେଲି। ସେସବୁ ଘଟିଲେ, ତୁମ୍ଭେମାନେ ମୋତେ ବିଶ୍ୱାସ କରିବ। 30ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ’ ଉପରେ ତା’ର କୌଣସି କର୍ତ୍ତୃତ୍ୱ ନାହିଁ। 31କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହାହେଲେ, ମୁଁ ମୋ’ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ।
ଆସ, ଆମେ ଏଠାରୁ ଯିବା।
Tällä hetkellä valittuna:
ଯୋହନ 14: ODCLBSI
Korostus
Jaa
Kopioi
Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.