ଯୋହନ 5
5
ଅଠତିରିଶି ବର୍ଷର ରୋଗୀର ସୁସ୍ଥତା
1ଏଥିଉତ୍ତାରେ ଯିହୂଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମକୁ ଯାତ୍ରା କଲେ । 2ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ । 3ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; 4କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।] 5ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା । 6ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ? 7ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ । 8ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ । 9ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା । 10ଅତଏବ, ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ । 11କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, ତୁମ୍ଭର ଖଟିଆ ଘେନି ଚାଲ । 12ସେମାନେ ତାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ ? 13କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ । 14ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ । 15ସେହି ଲୋକ ଚାଲିଯାଇ, ଯେ ତାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୂଦୀମାନଙ୍କୁ କହିଲା । 16ତେଣୁ ଯୀଶୁ ବିଶ୍ରାମବାରରେ ଏହା କରୁଥିବାରୁ ଯିହୂଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ । 17ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି । 18ଏହି କାରଣରୁ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ।
ପୁତ୍ରଙ୍କ ଅଧିକାର
19ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରି ପାରନ୍ତି ନାହିଁ । କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହି ସବୁ ସେପ୍ରକାରେ କରନ୍ତି । 20କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହି ସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥି ନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ ମହତ କର୍ମ ଦେଖାଇବେ । 21ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି । 22ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି । 23ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ । 24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି । 25ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ । 26କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; 27ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ । 28ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, 29ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।
ଯୀଶୁଙ୍କ ସପକ୍ଷରେ ସାକ୍ଷ୍ୟ
30ମୁଁ ନିଜେ କିଛି କରି ପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ । 31ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ । 32ମୋ' ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋ' ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ । 33ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି; 34କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି । 35ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ । 36କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି । 37ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋ' ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି । ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ, 38ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ । 39ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି । 40କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ' ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ । 41ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ, 42ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ୱରଙ୍କ ପ୍ରେମ ନାହିଁ । 43ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ । 44ତୁମ୍ଭେମାନେ କିପରି ବିଶ୍ୱାସ କରି ପାର ? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ୱରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ । 45ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି । 46କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାନ୍ତ, ତେବେ ମୋତେ ବିଶ୍ୱାସ କରିଥାନ୍ତ, ଯେଣୁ ସେ ମୋ' ବିଷୟରେ ଲେଖିଅଛନ୍ତି । 47କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ ?
Tällä hetkellä valittuna:
ଯୋହନ 5: ORYIRV
Korostus
Jaa
Kopioi
Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0