YouVersion Logo
Search Icon

ମାଥିଉ 3

3
ବାପ୍ତିଜକ ଯୋହନଙ୍କ କାର୍ଯ୍ୟ
(ମାର୍କ 1:1-8; ଲୂକ 3:1-9,15-17; ଯୋହନ 1:19-28)
1ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ 2“ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” 3ସେହି ଯୋହନଙ୍କ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ କହୁଥିଲେ,
“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
ତାହାଙ୍କ ରାଜପଥ ସଳଖ କର।’”#ଯିଶାଇୟ 40:3
4ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। 5ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। 6ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।
7ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? 8ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। 9ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।
11“ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ'ପରେ ଯେ ଆସୁଛନ୍ତି, ସେ ମୋ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”
ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ
(ମାର୍କ 1:9-11; ଲୂକ 3:21-22)
13ସେହି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନେବା ପାଇଁ ଯୀଶୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। 14କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?”
15ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।
16ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। 17ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”

Currently Selected:

ମାଥିଉ 3: OERV

Highlight

Share

Copy

None

Want to have your highlights saved across all your devices? Sign up or sign in