YouVersion Logo
Search Icon

ଯାତ୍ରା ପୁସ୍ତକ 7

7
1ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ୱର ତୁଲ୍ୟ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବ। 2ତୁମ୍ଭର ଭାଇ ହାରୋଣଙ୍କୁ ମୋର ସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚୟ ଇସ୍ରାଏଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ଯିବାକୁ ଛାଡ଼ି ଦେବ। 3କିନ୍ତୁ ମୁଁ ଫାରୋଙ୍କ ହୃଦୟ କଠିନ କରିବି। ତା'ପରେ ମିଶର ଦେଶରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବ ନାହିଁ। 4ତେଣୁ ଏହା ପରେ ମୁଁ ମିଶରକୁ ବହୁତ ଦଣ୍ଡ ଦେବି। ଏବଂ ତା'ପରେ ମୁଁ ମୋର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି। 5ତାହାହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସେମାନଙ୍କ ବିରୁଦ୍ଧରେ ଯେତେବେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସେମାନଙ୍କ ମଧ୍ୟରୁ ଇସ୍ରାଏଲୀୟ ଲୋକମାନଙ୍କୁ ବାହାର କରି ଆଣିବି।”
6ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ। 7ଫାରୋଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋଶାଙ୍କୁ ଅଶୀବର୍ଷ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା।
ମୋଶାଙ୍କର ଆଶାବାଡ଼ି ଏକ ସର୍ପ ପାଲଟି ଗଲା
8ସଦାପ୍ରଭୁ ମୋଶା ଓ ହାରୋଣକୁ କହିଲେ, 9“ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦେଖାଅ। ସେ ତୁମ୍ଭମାନଙ୍କୁ ଅ‌ଦ୍‌ଭୂତ କର୍ମ ଦେଖାଇବାକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖରେ ସର୍ପରେ ପରିଣତ ହେବ।”
10ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କାର୍ଯ୍ୟମାନ କଲେ। ହାରୋଣ ତାଙ୍କର ଆଶାବାଡ଼ିଟିକୁ ଭୂମିରେ ପକାଇଲେ। ଯେତେବେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଗ୍ଭହିଁଥିଲେ ସେମାନଙ୍କ ସମ୍ମୁଖରେ ଆଶାବାଡ଼ିଟି ସର୍ପରେ ପରିଣତ ହୋଇଗଲା।
11ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସେମାନେ ମଧ୍ୟ ହାରୋଣଙ୍କ ପରି ତାଙ୍କ ଗୁପ୍ତ ଯାଦୁ ବିଦ୍ୟା ପ୍ରୟୋଗ କରି ଆଶାବାଡ଼ିକୁ ସର୍ପରେ ପରିଣତ କରି ଦେଲେ। 12ସେମାନେ ତାଙ୍କର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ତାଙ୍କର ଆଶାବାଡ଼ି ସର୍ପରେ ପରିଣତ ହୋଇଗଲା। କିନ୍ତୁ ହାରୋଣଙ୍କର ଆଶାବାଡ଼ି ତାଙ୍କର ସମସ୍ତଙ୍କୁ ଖାଇଗଲା। 13ତଥାପି ଫାରୋ କଠିନ ହେଲେ ଲୋକମାନଙ୍କୁ ଯିବାକୁ ଅନୁମତି ଦେଲେ ନାହିଁ। ଏହା ସେହିପରି ହୋଇଥିଲା ଯେପରି ସଦାପ୍ରଭୁ ହେବ ବୋଲି କହିଥିଲେ। ଫାରୋ ମୋଶା ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।
ଜଳ ରକ୍ତରେ ପରିଣତ ହେଲା
14ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ। 15ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା। 16ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ। 17ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ। 18ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ଯୁକ୍ତ ହେବ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇ ପାରିବେ ନାହିଁ।’”
19ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”
20ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା। 21ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା।
22ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା। 23ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।
24ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।
ବେଙ୍ଗଗୁଡ଼ିକ
25ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ।

Highlight

Share

Copy

None

Want to have your highlights saved across all your devices? Sign up or sign in