ଲୂକ 20
20
ଯୀଶୁଙ୍କର କ୍ଷମତା ବିଷୟରେ ପ୍ରଶ୍ନ
(ମାଥିଉ ୨୧:୨୩-୨୭; ମାର୍କ ୧୧:୨୭-୩୩)
1ଦିନେ ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଇ ଶୁଭବାର୍ତ୍ତା ପ୍ରଚାର କରୁଥିବାବେଳେ ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ, ଧର୍ମନେତାମାନଙ୍କ ସହିତ ଆସି ତାଙ୍କୁ ପଚାରିଲେ, 2“କୁହନ୍ତୁ, କେଉଁ ଅଧିକାରରେ ଆପଣ ଏସବୁ ବିଷୟ କରୁଛନ୍ତି? କିଏ ଆପଣଙ୍କୁ ଏ କ୍ଷମତା ଦେଲା?”
3ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି। 4ମୋତେ କୁହ, ଯୋହନଙ୍କ ଜଳଦୀକ୍ଷା ଦେବାର ଅଧିକାର ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ ମିଳିଥିଲା?”
5ସେମାନେ ପରସ୍ପର ଭିତରେ ବିତର୍କ କରି କହିଲେ, “କ’ଣ କହିବା? ଯଦି ଆମେ କହୁ, ‘ଈଶ୍ୱରଙ୍କଠାରୁ,’ ସେ କହିବେ, “ତା’ହେଲେ କାହିଁକି ଯୋହନଙ୍କୁ ବିଶ୍ୱାସ କଲ ନାହିଁ?’ 6କିନ୍ତୁ ଆମେ ଯଦି କହୁ, ‘ମନୁଷ୍ୟଠାରୁ’, ଏଠାରେ ଥିବା ସମସ୍ତ ଜନତା ଆମ ଉପରେ ପଥର ଫୋପାଡ଼ିବେ, କାରଣ ଯୋହନ ଜଣେ ଭାବବାଦୀ ଥିଲେ ବୋଲି ଏମାନଙ୍କ ନିଶ୍ଚିତ ଧାରଣା।” 7ତେଣୁ ସେମାନେ ଉତ୍ତର ଦେଲେ, “ତାହା କେଉଁଠାରୁ ମିଳିଲା, ଆମେ ଜାଣିନୁ।”
8ଯୀଶୁ ସେମାନଙ୍କ କହିଲେ, “ତା’ହେଲେ କେଉଁ ଅଧିକାରରେ ମୁଁ ଏସବୁ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ଭାଗ ଚାଷୀମାନଙ୍କ ଦୃଷ୍ଟାନ୍ତ କଥା
(ମାଥିଉ ୨୧:୩୩-୪୬; ମାର୍କ ୧୨:୧-୧୨)
9ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।#ଯିଶାଇୟ ୫:୧। 10ଯେତେବେଳେ ଦ୍ରାକ୍ଷା ଅମଳ କରିବାର ସମୟ ହେଲା, ସେ ଭାଗଚାଷୀମାନଙ୍କଠାରୁ ଅମଳର ଅଂଶ ଆଦାୟ କରିବା ପାଇଁ ଜଣେ ଦାସକୁ ପଠାଇଲେ। କିନ୍ତୁ ଚାଷୀମାନେ ଦାସକୁ କିଛି ନ ଦେଇ ମାଡ଼ ମାରି ପଠାଇଦେଲେ। 11ତା’ପରେ ସେ ଆଉ ଜଣେ ଦାସକୁ ପଠାଇଲେ; କିନ୍ତୁ ଚାଷୀମାନେ ତାକୁ ମଧ୍ୟ ମାଡ଼ ମାରିଲେ ଓ ଅପମାନ ଦେଇ ଶୂନ୍ୟ ହସ୍ତରେ ଫେରାଇଦେଲେ। 12କିଛି ଦିନ ପରେ ସେ ତୃତୀୟ ଦାସକୁ ପଠାଇଲେ। ସେମାନେ ତାକୁ ମଧ୍ୟ କ୍ଷତବିକ୍ଷତ କରି ବାହାରେ ପକାଇଦେଲେ। 13ତା’ପରେ ଦ୍ରାକ୍ଷା କ୍ଷେତର ମାଲିକ କହିଲେ, ‘ମୁଁ ଏବେ କ’ଣ କରିବି? ଏଥର ମୁଁ ମୋର ପ୍ରିୟ ପୁତ୍ରକୁ ପଠାଇବି। ସେମାନେ ନିଶ୍ଚୟ ତାକୁ ସମ୍ମାନ କରିବେ!’ 14କିନ୍ତୁ ଚାଷୀମାନେ ତାକୁ ଦେଖି ପରସ୍ପର ମଧ୍ୟରେ ବିଚାର କଲେ, ‘ଏ ହେଉଛି ମାଲିକର ପୁଅ। ଚାଲ, ଆମେ ତାକୁ ହତ୍ୟା କରିବା, ତାହାହେଲେ ତା’ର ସମ୍ପତ୍ତି ଆମର ହେବ’। 15ତେଣୁ ସେମାନେ ତାକୁ ବାହାରକୁ ଟାଣି ନେଇ ହତ୍ୟା କଲେ।
ଯୀଶୁ ପଚାରିଲେ, “ତା’ହେଲେ ଦ୍ରାକ୍ଷା କ୍ଷେତର ମାଲିକ ସେହି ଚାଷୀମାନଙ୍କୁ କ’ଣ କରିବେ? 16ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।”
ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”
17ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ଅଂଶର ଅର୍ଥ କ’ଣ?#ଗୀତ. ୧୧୮:୨୨।
‘ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ,
ତାହା ପ୍ରଧାନ କୋଣ-ପଥର ହେଲା।’
18ଯେଉଁମାନେ ସେହି ପଥର ଉପରେ ପଡ଼ିବେ, ସେମାନେ ଖଣ୍ଡ ବିଖଣ୍ଡ ହୋଇଯିବେ, ଆଉ ସେ ପଥର ଯାହା ଉପରେ ପଡ଼ିବ, ସେ ଚୂର୍ଣ୍ଣବିଚୂର୍ଣ୍ଣ ହେବ।”
କର ଦେବା ବିଷୟରେ ପ୍ରଶ୍ନ
(ମାଥିଉ ୨୨:୧୫-୨୨; ମାର୍କ ୧୨:୧୩-୧୭)
19ଧର୍ମଗୁରୁ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଘଟଣା ସ୍ଥଳରେ ଗିରଫ କରିବାକୁ ଚେଷ୍ଟା କଲେ, କାରଣ ସେମାନେ ଜାଣିଥିଲେ ଯେ ଯୀଶୁ ସେମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା କହିଥିଲେ; କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। 20ତେଣୁ ସେମାନେ ସୁଯୋଗ ଖୋଜିଲେ। ତାଙ୍କୁ ରୋମୀୟ ଶାସକଙ୍କ ନିକଟରେ ଧରାଇ ଦେବା ପାଇଁ ନିଜକୁ ଧାର୍ମିକ ଦେଖାଉଥିବା କେତେକ ଗୁପ୍ତଚରଙ୍କୁ ସେମାନେ ପଠାଇଲେ। 21ଚରମାନେ ଯୀଶୁଙ୍କ ଛିଦ୍ର ଧରିବାକୁ ଆସି ତାଙ୍କୁ ପ୍ରଶ୍ନ କଲେ, “ହେ ଗୁରୁ, ଆପଣ ଯାହା କହନ୍ତି ଓ ଶିକ୍ଷା ଦିଅନ୍ତି, ତାହା ଯଥାର୍ଥ ବୋଲି ଆମେ ଜାଣୁ। ଆମେ ଜାଣୁ ଯେ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିନ୍ତୁ ମନୁଷ୍ୟ ଜୀବନ ପାଇଁ ଈଶ୍ୱରଙ୍କର ଇଚ୍ଛା ବିଷୟରେ ସ୍ପଷ୍ଟ ଶିକ୍ଷା ଦିଅନ୍ତି। 22କହନ୍ତୁ, ରୋମୀୟ ସମ୍ରାଟଙ୍କୁ କର ଦେବା ଆମର ବିଧିସଙ୍ଗତ କି ନା?”
23କିନ୍ତୁ ଯୀଶୁ ସେମାନଙ୍କର ଧୂର୍ତ୍ତତା ବୁଝିପାରି କହିଲେ, 24“ଗୋଟିଏ ରୂପା ଟଙ୍କା ଦେଖାଅ। ଏହା ଉପରେ କାହାର ଛବି ଓ ନାମ ଅଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର।”
25ତେଣୁ ଯୀଶୁ କହିଲେ, “ତା’ହେଲେ ସମ୍ରାଟଙ୍କର ଯାହା ପ୍ରାପ୍ୟ, ତାହା ସମ୍ରାଟଙ୍କୁ ଦିଅ ଓ ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ।”
26ସେଠାରେ ସେମାନେ କୌଣସି ଉପାୟରେ ତାଙ୍କୁ ଧରି ନ ପାରି ଚୁପ୍ ରହିଲେ ଓ ତାଙ୍କ ଉତ୍ତରରେ ଚମତ୍କୃତ ହେଲେ।
ପୁନରୁତ୍ଥାନ ବିଷୟରେ ପ୍ରଶ୍ନ
(ମାଥିଉ ୨୨:୨୩-୩୩; ମାର୍କ ୧୨:୧୮-୨୭)
27ମୃତମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା କେତେଜଣ ସାଦ୍ଦୁକୀ ଯୀଶୁଙ୍କ ନିକଟକୁ ଆସି କହିଲେ,#ପ୍ରେରିତ ୨୩:୮। 28“ହେ ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଥିଲେ: ‘ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତା’ର ବିଧବା ସ୍ତ୍ରୀକୁ ସେହି ଲୋକର ଭାଇ ବିବାହ କରିବା ଉଚିତ୍ ତା’ହେଲେ ସେମାନଙ୍କ ସନ୍ତାନମାନେ ମୃତ ବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।#ଦ୍ୱି. ବିବରଣୀ ୨୫:୫। 29ଏକଦା ସାତ ଭାଇ ଥିଲେ, ପ୍ରଥମ ଜଣ ନିଃସନ୍ତାନ ହୋଇ ମରିଗଲା। 30ତା’ପରେ ଦ୍ୱିତୀୟ ଜଣ ସେହି ସ୍ତ୍ରୀକୁ ବିବାହ କଲା, 31ଓ ତା’ପରେ ତୃତୀୟ ଜଣ। ଏହିପରି ସାତ ଜଣ ତାକୁ ବିବାହ କରି ନିଃସନ୍ତାନ ହୋଇ ମରିଗଲେ। 32ସର୍ବଶେଷରେ ସ୍ତ୍ରୀଟି ମଧ୍ୟ ମରିଗଲା। 33ଯେତେବେଳେ ମୃତମାନେ ଜୀବିତ ହୋଇ ଉଠିବେ, ସେ କାହାର ସ୍ତ୍ରୀ ହେବ? ସାତ ଜଣ ତ ତାକୁ ବିବାହ କରିଥିଲେ।”
34ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ଜଗତର ଲୋକମାନେ ବିବାହ କରନ୍ତି, 35କିନ୍ତୁ ଯେଉଁମାନେ ପୁନରୁତ୍ଥିତ ହୋଇ ପରଲୋକରେ ବାସ କରିବାକୁ ଯୋଗ୍ୟ, ସେମାନେ ଆଉ ବିବାହ କରିବେ ନାହିଁ। 36ସେମାନେ ସ୍ୱର୍ଗଦୂତମାନଙ୍କ ସଦୃଶ ହେବେ ଏବଂ ମରିବେ ନାହିଁ। ସେମାନେ ଈଶ୍ୱରଙ୍କ ସନ୍ତାନ, କାରଣ ସେମାନେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି। 37ମୋଶା ସ୍ପଷ୍ଟରୂପେ ପ୍ରମାଣ କରି ଦେଇଛନ୍ତି ଯେ ମୃତମାନଙ୍କର ଉତ୍ଥାନ ହୁଏ। ଜଳନ୍ତା ବୁଦା ବିଷୟ ବର୍ଣ୍ଣନା ହୋଇଥିବା ଶାସ୍ତ୍ରାଂଶରେ ମୋଶା ପ୍ରଭୁଙ୍କୁ ‘ଅବ୍ରାହମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର’ ବୋଲି ଉଲ୍ଲେଖ କରିଛନ୍ତି।#ଯାତ୍ରା. ୩:୬। 38ପ୍ରଭୁ ଜୀବିତମାନଙ୍କ ଈଶ୍ୱର, ମୃତମାନଙ୍କର ନୁହନ୍ତି। ଅତଏବ ସେମାନେ ସମସ୍ତେ ତାଙ୍କ ଦୃଷ୍ଟିରେ ଜୀବିତ ଅଟନ୍ତି।”
39ଧର୍ମଗୁରୁମାନଙ୍କ ମଧ୍ୟରୁ କେତେକ କହିଲେ, “ଗୁରୁ, ଏହା ଯଥାର୍ଥ ଉତ୍ତର!” 40ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କର ସାହସ ହେଲା ନାହିଁ।
ମସୀହଙ୍କ ବିଷୟରେ ପ୍ରଶ୍ନ
(ମାଥିଉ ୨୨:୪୧-୪୬; ମାର୍କ ୧୨:୩୫-୩୭)
41ଯୀଶୁ ସେମାନଙ୍କୁ ପଚାରିଲେ, “ମସୀହ ଯେ ଦାଉଦଙ୍କ ବଂଶଧର, ଏହା କିପରି କୁହାଯାଇପାରେ? 42-43କାରଣ ଦାଉଦ ନିଜେ ତାଙ୍କର ଗୀତରେ ଲେଖିଛନ୍ତି,#ଗୀତ. ୧୧୦:୧।
‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
ଆମେ ତୁମର ଶତ୍ରୁମାନଙ୍କୁ ତୁମର ପାଦ ପୀଠ ନ କରିବା ପର୍ଯ୍ୟନ୍ତ
ଆମ ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’
44ଦାଉଦ ତାଙ୍କୁ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି; ତା’ହେଲେ ମସୀହ କିପରି ଦାଉଦଙ୍କ ବଂଶଧର ହୋଇପାରନ୍ତି?”
ଯୀଶୁ ଧର୍ମଗୁରୁମାନଙ୍କ ବିରୁଦ୍ଧରେ ସତର୍କ କରାଇଲେ
(ମାଥିଉ ୨୩:୧-୩୬; ମାର୍କ ୧୨:୩୮-୪୧)
45ଲୋକମାନେ ତାଙ୍କ କଥା ଶୁଣିବା ସମୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, 46“ଧର୍ମଗୁରୁମାନଙ୍କ ପ୍ରତି ସାବଧାନ, ସେମାନେ ସେମାନଙ୍କର ଦୀର୍ଘ ପୋଷାକ ପିନ୍ଧି ବୁଲିବାକୁ ଓ ବଜାରମାନଙ୍କରେ ଭକ୍ତିପୂର୍ଣ୍ଣ ନମସ୍କାର ଗ୍ରହଣ କରିବାକୁ ଭଲ ପାଆନ୍ତି; ସେମାନେ ଉପାସନା ଗୃହରେ ଓ ଭୋଜିମାନଙ୍କରେ ପ୍ରଧାନ ଆସନ ବାଛି ନିଅନ୍ତି। 47ସେମାନେ ବିଧବାମାନଙ୍କର ନିଃସହାୟତାର ସୁଯୋଗ ନେଇ ସେମାନଙ୍କର ଘରବାଡ଼ି ଆତ୍ମସାତ କରନ୍ତି ଓ ଦୀର୍ଘ ପ୍ରାର୍ଥନା କରିବାର ଅଭିନୟ ଦେଖାନ୍ତି! ସେମାନଙ୍କର ଦଣ୍ଡ ସବୁଠାରୁ ଭୟାନକ ହେବ!”
Επιλέχθηκαν προς το παρόν:
ଲୂକ 20: ODCLBSI
Επισημάνσεις
Αντιγραφή
Σύγκριση
Κοινοποίηση
Θέλετε να αποθηκεύονται οι επισημάνσεις σας σε όλες τις συσκευές σας; Εγγραφείτε ή συνδεθείτε
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.