Λογότυπο YouVersion
Εικονίδιο αναζήτησης

ଯୋହନ 13

13
ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇଦେଲେ
1ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।
2ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା। 3ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ। 4ତେଣୁ ଯୀଶୁ ଆସନରୁ ଉଠିଯାଇ ତାଙ୍କ ଉତ୍ତରୀୟ ବାହାର କରିଦେଲେ ଓ ଅଣ୍ଟାରେ ଗୋଟିଏ ଗାମୁଛା ବାନ୍ଧିଲେ। 5ତା’ପରେ ପାତ୍ରରେ କିଛି ଜଳ ଢାଳି ଶିଷ୍ୟମାନଙ୍କ ପାଦ ଧୋଇଦେଲେ ଏବଂ ଗାମୁଛାରେ ପୋଛିବାକୁ ଲାଗିଲେ। 6ଯେତେବେଳ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ପିତର ପଚାରିଲେ, “ପ୍ରଭୁ, ଆପଣ କ’ଣ ମୋର ପାଦ ଧୋଇଦେବେ?”
7ଯୀଶୁ କହିଲେ, “ମୁଁ କ’ଣ କରୁଛି, ବର୍ତ୍ତମାନ ତୁମେ ବୁଝିପାରିବ ନାହିଁ, ପରେ ବୁଝିବ।”
8ପିତର ବାରଣ କରି କହିଲେ, “ନା, ମୋ’ ପାଦ ଆପଣ କଦାପି ଧୋଇବେ ନାହିଁ।”
କିନ୍ତୁ ଯୀଶୁ କହିଲେ, “ଯଦି ମୁଁ ତୁମ ପାଦ ଧୋଇ ନ ଦିଏ, ତୁମେ ଆଉ ମୋର ଶିଷ୍ୟ ହୋଇ ରହିପାରିବ ନାହିଁ।”
9ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ତା’ହେଲେ ମୋର ପାଦ କାହିଁକି, ମୋ’ ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ।”
10ଯୀଶୁ କହିଲେ, “ଯେଉଁମାନେ ସ୍ନାନ କରିସାରିଛନ୍ତି, ସେମାନଙ୍କ ପାଦ ଛଡ଼ା ଅନ୍ୟ କିଛି ଧୋଇବା ଆବଶ୍ୟକ ନାହିଁ। ସେମାନଙ୍କର ସର୍ବାଙ୍ଗ ପରିଷ୍କାର। ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।” (11ଯୀଶୁ ଜାଣିଥିଲେ, କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ। ଏଣୁ ସେ କହିଥିଲେ, “ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।”)
12ଶିଷ୍ୟମାନଙ୍କ ପାଦ ଧୋଇସାରି ଯୀଶୁ ଉତ୍ତରୀୟ ପିନ୍ଧି ନିଜ ଆସନକୁ ଫେରିଗଲେ। ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କର କ’ଣ କରିଛି, ବୁଝି ପାରିଲ କି?#ଲୂକ ୨୨:୨୭। 13ତୁମେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଛ, ତାହା ଯଥାର୍ଥ, କାରଣ ବାସ୍ତବିକ ମୁଁ ତାହା। 14ତୁମର ଗୁରୁ ଓ ପ୍ରଭୁ ହୋଇ ମୁଁ ଯଦି ତୁମର ପାଦ ଧୋଇଦେଲି, ତେବେ ତୁମ୍ଭେମାନେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ। 15ତୁମ୍ଭେମାନେ ମୋତେ ଅନୁକରଣ କରିବା ପାଇଁ ମୁଁ ଏହି ଆଦର୍ଶ ଦେଖାଇଅଛି। 16ମୁଁ ସତ୍ୟ କହୁଛି, କୌଣସି ଦାସ ତା’ର ମାଲିକଠାରୁ ବଡ଼ ନୁହେଁ, କିମ୍ବା କୌଣସି ବାର୍ତ୍ତାବହ ତା’ର ପ୍ରେରଣକର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।#ମାଥିଉ ୧୦:୨୪; ଲୂକ ୬:୪୦; ଯୋହନ ୧୫:୨୦। 17ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।
18“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’#ଗୀତ. ୪୧:୯। 19ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଢ଼ଙ୍କୁ ଜଣାଇ ଦେଉଛି। ଯେତେବେଳେ ତାହା ଘଟିବ, ତୁମେ ବିଶ୍ୱାସ କରିବ ଯେ, ‘ମୁଁ ହେଉଛି ସେହି’। 20ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ’ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିର ଯେ ଆତିଥ୍ୟ କରେ, ସେ ମୋର ଆତିଥ୍ୟ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”#ମାଥିଉ ୧୦:୪୦; ମାର୍କ ୯:୩୭; ଲୂକ ୯:୪୮; ୧୦:୧୬।
ବିଶ୍ୱାସଘାତକ ସମ୍ପର୍କରେ ଯୀଶୁଙ୍କ ସୂଚନା
(ମାଥିଉ ୨୬:୨୦-୨୫; ମାର୍କ ୧୪:୧୭-୨୧; ଲୂକ ୨୨:୨୧-୨୩)
21ଏହା ପରେ ଯୀଶୁ ଦୁଃଖରେ ବ୍ୟାକୁଳ ହୋଇ ପ୍ରକାଶ୍ୟରେ କହିଲେ, “ମୁଁ ସତ୍ୟ କହୁଛି, ତୁମ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି।”
22କାହାକୁ ଲକ୍ଷ୍ୟ କରି ଯୀଶୁ ଏ କଥା କହିଲେ, ବୁଝି ନ ପାରି ଶିଷ୍ୟମାନେ ପରସ୍ପରକୁ ଚାହିଁଲେ। 23ସେମାନଙ୍କ ମଧ୍ୟରୁ ଯେଉଁ ଶିଷ୍ୟଙ୍କୁ ଯୀଶୁ ଅତି ଭଲ ପାଉଥିଲେ, ସେ ଯୀଶୁଙ୍କ ଆଡ଼କୁ ଆଉଜି ବସିଥିଲେ। 24ଶିମୋନ ପିତର ତାଙ୍କୁ ଇଙ୍ଗିତ ଦେଇ କହିଲେ, “କାହା କଥା କହୁଛନ୍ତି, ତାଙ୍କୁ ପଚାର।”
25ସେହି ଶିଷ୍ୟଟି ଯୀଶୁଙ୍କ ପାଖକୁ ଆହୁରି ଟିକିଏ ଲାଗି ଆସି ପଚାରିଲା, “ସେ କିଏ ପ୍ରଭୁ?”
26ଯୀଶୁ ଉତ୍ତର ଦେଲେ, “ରୁଟି ଖଣ୍ଡେ ପାତ୍ରରେ ବୁଡ଼ାଇ ଯାହାକୁ ଦେବି, ସେ ସେହି।” ଏହା କହି ଯୀଶୁ ଖଣ୍ଡିଏ ରୁଟି ପାତ୍ରରେ ବୁଡ଼ାଇ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଦେଲେ। 27ଯିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା’ ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ: “ଯାହା କରିବାକୁ ଯାଉଛ, ଶୀଘ୍ର କର।” 28ଯୀଶୁ ତାକୁ ଏ କଥା କାହିଁକି କହିଲେ, ଭୋଜନରେ ବସିଥିବା ଅନ୍ୟ କେହି ବୁଝିପାରିଲେ ନାହିଁ। 29ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂତନ ଆଜ୍ଞା
30ରୁଟି ଖଣ୍ଡିକ ଗ୍ରହଣ କରି ଯିହୁଦା ସେହିକ୍ଷଣି ବାହାରକୁ ଚାଲିଗଲା। ସେତେବେଳେ ରାତ୍ରି ସମୟ।
31ଯିହୁଦା ବାହାରି ଯିବା ପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ପୁରି ତାଙ୍କ ଦ୍ୱାରା ଈଶ୍ୱର ମଧ୍ୟ ମହିମାନ୍ୱିତ ହେବେ। 32ଅତଏବ ଯଦି ଈଶ୍ୱର ମନୁଷ୍ୟପୁତ୍ର ଦ୍ୱାରା ମହିମାନ୍ୱିତ ହେବେ, ଈଶ୍ୱର ନିଜ ମହିମାରେ ମନୁଷ୍ୟପୁତ୍ରଙ୍କୁ ମହିମାନ୍ୱିତ କରିବେ। ଶୀଘ୍ର ସେ ଏହା କରିବାକୁ ଯାଉଛନ୍ତି। 33ପିଲାମାନେ! ମୁଁ ତୁମ ସଙ୍ଗରେ ଆଉ ବେଶୀ ସମୟ ରହିବି ନାହିଁ। ତୁମେ ମୋତେ ଖୋଜିବ, କିନ୍ତୁ ମୁଁ ଯେଉଁଠାକୁ ଯାଉଛି, ତୁମେ ସେଠାକୁ ଯାଇ ପାରିବ ନାହିଁ- ଏ ବିଷୟରେ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଯାହା କହିଥିଲି, ବର୍ତ୍ତମାନ ତୁମକୁ ଆଉ ଥରେ ତାହା କହୁଛି।#ଯୋହନ ୭:୩୪। 34ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।#ଯୋହନ ୧୫:୧୨; ୧୭:୧; ଯୋହନ ୩:୨୩; ୨ ଯୋହନ ୫। 35ଯଦି ପରସ୍ପର ପ୍ରତି ତୁମର ପ୍ରେମ ଥାଏ, ସମସ୍ତେ ଜାଣିବେ, ତୁମ୍ଭେମାନେ ମୋର ଶିଷ୍ୟ।”
ପିତରଙ୍କ ଅସ୍ୱୀକାରର ସୂଚନା
(ମାଥିଉ ୨୬:୩୧-୩୫; ମାର୍କ ୧୪:୨୭-୩୧; ଲୂକ ୨୨:୩୧-୩୪)
36ଶିମୋନ ପିତର ପଚାରିଲେ: “ଆପଣ କେଉଁଠାକୁ ଯିବେ ପ୍ରଭୁ?”
ଯୀଶୁ ଉତ୍ତର ଦେଲେ: “ମୁଁ ଯେଉଁଠିକି ଯିବି, ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ।”
37ପିତର କହିଲେ, “କାହିଁକି ବର୍ତ୍ତମାନ ଆପଣଙ୍କର ଅନୁଗମନ କରିପାରିବି ନାହିଁ ପ୍ରଭୁ? ଆପଣଙ୍କ ପାଇଁ ମୁଁ ମରିବାକୁ ପ୍ରସ୍ତୁତ।”
38ଯୀଶୁ କହିଲେ, “ତୁମେ କ’ଣ ପ୍ରକୃତରେ ମୋ’ ପାଇଁ ମରିବାକୁ ପ୍ରସ୍ତୁତ ଅଛ? ମୁଁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ମୋତେ ତୁମେ ତିନିଥର ଅସ୍ୱୀକାର କରିବ।”

Επιλέχθηκαν προς το παρόν:

ଯୋହନ 13: ODCLBSI

Επισημάνσεις

Κοινοποίηση

Αντιγραφή

None

Θέλετε να αποθηκεύονται οι επισημάνσεις σας σε όλες τις συσκευές σας; Εγγραφείτε ή συνδεθείτε