YouVersion Logo
Search Icon

ସିଫନିୟ 3

3
ଯିରୁଶାଲମର ଭବିଷ୍ୟତ
1ହେ ଯିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ସେମାନେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସେମାନେ ପାପରେ କଳୁଷିତ ହୋଇଗଲେ। 2ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସେମାନେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ଯିରୁଶାଲମ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖିଲା ନାହିଁ। ସେମାନେ ତାଙ୍କ ପରମେଶ୍ୱରଙ୍କ ସନ୍ନିକଟକୁ ଗଲେ ନାହିଁ। 3ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ। 4ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି। 5ତଥାପି ପରମେଶ୍ୱର ସେହି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୁଲ୍ କରନ୍ତି ନାହିଁ। ସକାଳ ପରେ ସକାଳ, ସେ ତାଙ୍କ ନ୍ୟାୟ ବିଗ୍ଭର କରନ୍ତି। ପ୍ରାତଃକାଳରେ ସେ ତାହା ନିଶ୍ଚୟ କରନ୍ତି। କିନ୍ତୁ ସେହି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦକାର୍ଯ୍ୟ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
6ପରମେଶ୍ୱର କହନ୍ତି, “ଆମ୍ଭେ ସମଗ୍ର ଜାତିକୁ ଧ୍ୱଂସ କରିଅଛୁ। ଆମ୍ଭେ ସେମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ୱଂସ କଲୁ। ସେମାନଙ୍କର ରାସ୍ତାକୁ ଏପରି ଧ୍ୱଂସ କଲୁ ଯେ ଆଉ କେହି ସେଠାକୁ ଏଣିକି ଯାଇପାରିବେ ନାହିଁ। ଆମ୍ଭେ ସେମାନଙ୍କର ନଗରଗୁଡ଼ିକ ଶୂନ୍ୟ କରି ଦେଲୁ, ତେଣୁ ସେଠାରେ ଆଉ କେହି ବାସ କରି ପାରିବେ ନାହିଁ। 7ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।
8ସଦାପ୍ରଭୁ କହିଲେ, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭର ଅପେକ୍ଷାରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ୟଗଣକୁ ଏକତ୍ରିତ କରିବା। ଆମ୍ଭେ ଆପଣା କ୍ରୋଧ ସେମାନଙ୍କ ଉପରେ ଢାଳି ଦେବା। ଆମ୍ଭେ ଆପଣା ପ୍ରଚଣ୍ତ କ୍ରୋଧ ଦେଖାଇବା। ଆମ୍ଭର କ୍ରୋଧରେ ସମଗ୍ର ପୃଥିବୀ ଧ୍ୱଂସ ହେବ। 9ତା'ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ। 10ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ।
11“ତା'ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ। 12ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ। 13ଇସ୍ରାଏଲରେ ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା କହିବେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ମିଥ୍ୟାବାଦୀ ରହିବେ ନାହିଁ। ସେମାନେ ମେଣ୍ଢାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତିରେ ଶୋଇବେ। କେହି ସେମାନଙ୍କୁ ବ୍ୟସ୍ତ କରିବେ ନାହିଁ।”
ଗୋଟିଏ ସୁଖ ସଙ୍ଗୀତ
14ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ।
ଇସ୍ରାଏଲ ମଧ୍ୟ ଆନନ୍ଦ କରିବ।
ଯିରୁଶାଲମ ମଧ୍ୟ ସୁଖୀ ହେବ।
15କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ।
ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ।
ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି।
ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।
16ସେତେବେଳେ ଯିରୁଶାଲମକୁ କୁହାଯିବ,
“ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।
17ଜଣେ ଶକ୍ତିଶାଳୀ ସୈନିକ ସଦୃଶ
ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।
ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ।
ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ।
ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।”
18ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର
ଲଜ୍ଜା ଅପମାନ ନେଇଯିବି।
ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।
19ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା,
ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା।
ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା।
ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା
ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ।
20ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା।
ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା
ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ।
ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,”
ସଦାପ୍ରଭୁ ଏହି ସମସ୍ତ କହିଥିଲେ।

Currently Selected:

ସିଫନିୟ 3: OERV

Highlight

Share

Copy

None

Want to have your highlights saved across all your devices? Sign up or sign in