YouVersion Logo
Search Icon

ମାଥିଉ 27

27
ପୀଲାତଙ୍କ ସମ୍ମୁଖରେ ଯୀଶୁ
(ମାର୍କ 15:1; ଲୂକ 23:1-2; ଯୋହନ 18:28-32)
1ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ।
ଯିହୂଦାର ମୃତ୍ୟୁ
(ପ୍ରେରିତ 1:18-19)
3ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ଫେରାଇ ଆଣି କହିଲା, 4ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? 5ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟ-ମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା। 6କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ-ମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ମନ୍ଦିରର ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ। 7ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ।
8ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି। 9ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ସେମାନେ ନେଇ 10ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ।
ଯୀଶୁଙ୍କ ବିଚାର
(ମାର୍କ 15:2-5; ଲୂକ 23:3-5; ଯୋହନ 18:33-38)
11ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜା? ଯୀଶୁ କହିଲେ,
“ଆପଣ କହୁଅଛନ୍ତି।”
12ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ। 13ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? 14ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ।
ଯୀଶୁଙ୍କୁ ପ୍ରାଣଦଣ୍ଡ
(ମାର୍କ 15:6-15; ଲୂକ 23:13-25; ଯୋହନ 18:39; 19:16)
15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା। 16ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା। 17ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ? 18କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ। 19ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି। 20ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ। 21ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ। 22ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ। 23ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ।
କ୍ରୁଶ ନିମନ୍ତେ ଯୀଶୁ ସମର୍ପିତ
(ଦ୍ୱିତୀୟ ବିବରଣ 21:6-9)
24ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ। 25ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। 26ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
ଯୀଶୁଙ୍କ ପ୍ରତି ପରିହାସ
(ମାର୍କ 15:16-20; ଯୋହନ 19:2-3)
27ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ। 28ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ ଲୋହିତବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର। 30ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। 31ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ।
ଯୀଶୁଙ୍କ କ୍ରୁଶବିଦ୍ଧ
(ମାର୍କ 15:21-32; ଲୂକ 23:26-43; ଯୋହନ 19:17-27)
32ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାଙ୍କୁ ବାଧ୍ୟ କଲେ। 33ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। 35ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ। 37ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। 38ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। 39ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ। 41ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। 43ସେ ଈଶ୍ବରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ବରଙ୍କ ପୁତ୍ର। 44ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ।
ଯୀଶୁଙ୍କ ମୃତ୍ୟୁ
(ମାର୍କ 15:33-41; ଲୂକ 23:44-49; ଯୋହନ 19:28-30)
45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। 46ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” 47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି। 48ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। 49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। 50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। 51ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। 54ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ। 55ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।
ଯୀଶୁଙ୍କ ସମାଧି
(ମାର୍କ 15:42-47; ଲୂକ 23:50-56; ଯୋହନ 19:38-42)
57ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। 58ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ। 59ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, 60ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ। 61ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।
ସମାଧି-ସ୍ଥାନରେ ପ୍ରହରୀ
62ତହିଁ ଆରଦିନ, ଅର୍ଥାତ୍‍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ, 63ମହାଶୟ, ଆମ୍ଭମାନଙ୍କର ମନେ ପଡ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି। 64ଅତଏବ, ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। 65ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ-ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର। 66ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।

Currently Selected:

ମାଥିଉ 27: IRVOry

Highlight

Share

Copy

None

Want to have your highlights saved across all your devices? Sign up or sign in