YouVersion Logo
Search Icon

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 4

4
କହାତ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
1ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ-ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ 3ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।” 4ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ। 5ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ 6ଓ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ। 7ଏଥିଉତ୍ତାରେ ସେମାନେ ଦର୍ଶନୀୟ ରୁଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ, ତହିଁ ଉପରେ ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ପାତ୍ରସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୁଟି ରହିବ। 8ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୂରବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁଁ ତହିଁର ସାଙ୍ଗୀ ଲଗାଇବେ। 9ଏଉତ୍ତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ। 10ପୁଣି, ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ। 11ପୁଣି, ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢ଼ାଙ୍କିବେ ଓ ତହିଁରେ ସାଙ୍ଗୀ ଲଗାଇବେ। 12ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ। 13ପୁଣି, ସେମାନେ ବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ। 14ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦିର ସେବାର୍ଥକ ସମସ୍ତ ପାତ୍ର ରଖିବେ; ତହୁଁ ସେମାନେ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେଇ ସାଙ୍ଗୀ ଲଗାଇବେ। 15ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ। 16ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ-ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହି ସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ। 17ଏଥିଉତ୍ତାରେ ସଦାପ୍ରଭୁ ମୋଶା ହାରୋଣଙ୍କୁ କହିଲେ, 18“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ” ! 19ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। 20ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”
ଗେର୍ଶୋନ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
21ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 22“ତୁମ୍ଭେ ଗେର୍ଶୋନ-ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ; 23ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର। 24ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନୀୟ ବଂଶର ସେବା ଏହି; 25ସେମାନେ ଆବାସର ଯବନିକା ସକଳ ଓ ସମାଗମ-ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥିତ ଶିଶୁକର ଚର୍ମର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର; 26ଆଉ ପ୍ରାଙ୍ଗଣର ପରଦାସକଳ, ଆବାସର ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ ଓ ସେହି ସବୁରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ହୁଏ, ତାହାସବୁ କରିବେ। 27ହାରୋଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ଶୋନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ। 28ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।
ମରାରି ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
29ଏଉତ୍ତାରେ ତୁମ୍ଭେ ମରାରି-ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। 30ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କରିବ। 31ପୁଣି, ସମାଗମ-ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ; ଆବାସର ପଟା, ତହିଁର ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସକଳ, 32ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ, ତହିଁର ଚୁଙ୍ଗୀ, ମେଖ, ରଜ୍ଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ; ତୁମ୍ଭେମାନେ ସେମାନଙ୍କ ରକ୍ଷଣୀୟ-ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ। 33ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ। 34ଏଥିଉତ୍ତାରେ ମୋଶା ଓ ହାରୋଣ ଓ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ 35ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନଙ୍କୁ ଗଣନା କଲେ। 36ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ହେଲେ; 37ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ। 38ପୁଣି, ଗେର୍ଶୋନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, 39ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, 40ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯା’ନ୍ତେ, ଦୁଇ ହଜାର ଛଅ ଶହ ତିରିଶ ଜଣ ହେଲେ। 41ଏମାନେ ଗେର୍ଶୋନ-ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ। 42ଆଉ ମରାରି-ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, 43ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, 44ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯା’ନ୍ତେ, ତିନି ହଜାର ଦୁଇ ଶହ ଜଣ ହେଲେ। 45ଏମାନେ ମରାରି ସନ୍ତାନଗଣ ବଂଶର ଗଣିତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ। 46ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଦ୍ୱାରା ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ, 47ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ, 48ସେମାନେ ଗଣାଯା’ନ୍ତେ, ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ହେଲେ। 49ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରତ୍ୟେକେ ମୋଶାଙ୍କର ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ; ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ।

Highlight

Share

Copy

None

Want to have your highlights saved across all your devices? Sign up or sign in

YouVersion uses cookies to personalize your experience. By using our website, you accept our use of cookies as described in our Privacy Policy