ମାର୍କ 3
3
ଶୁଷ୍କ ହସ୍ତ ବିଶିଷ୍ଟ ବ୍ୟକ୍ତିର ସୁସ୍ଥତା
1ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା।
2ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି।
3ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ।
4ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।
5ସେଥିରେ ସେ ସେମାନଙ୍କ ହୃଦୟର ଜଡ଼ତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଆଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ। ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି ଭଲ ହୋଇଗଲା।
6ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟ-ମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
ଯୀଶୁଙ୍କର ଅନୁଗାମୀ ମହାଜନତା
7ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍ଗମନ କଲେ; ଆଉ ଯିହୁଦା,
8ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ଵ, ପୁଣି ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
9ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନାହା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
10କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁ ଥିଲେ।
11ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ଵରଙ୍କ ପୁତ୍ର।
12ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ ରୂପେ ଆଜ୍ଞା ଦେଲେ।
ଯୀଶୁଙ୍କ ବାର ଶିଷ୍ୟ ମନୋନୟନ
13ଯୀଶୁ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ।
14ପୁଣି, ସେ ଦ୍ଵାଦଶ ଜଣଙ୍କୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
15ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
16ଯୀଶୁ ଏହି ଦ୍ଵାଦଶ ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ;
17ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭ୍ରାତା ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
18ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,
19ପୁଣି ଇଷ୍କାରିୟୋତୀୟ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା
20ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ।
21ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ନେଇଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି।
22ଆଉ, ଯିରୂଶାଲମରୁ ଆସିଥିବା ଶାସ୍ତ୍ରୀମାନେ କହିଲେ,ଏହାକୁ ବାଆଲ୍ଜିବୂଲ୍ ଲାଗିଛି, ପୁଣି ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ।
23ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ,ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?
24ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।
25ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ।
26ସେହିପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
27ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ରସବୁ ଲୁଣ୍ଠନ କରି ପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ।
28ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟ ସନ୍ତାନ-ମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ଵରନିନ୍ଦା କରନ୍ତି, ସେସମସ୍ତ କ୍ଷମା କରାଯିବ;
29କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନ; ପାପରେ ଦୋଷୀ ଅଟେ।
30ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।
ଯୀଶୁଙ୍କ ମା ଓ ଭାଇମାନେ
31ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ-ପଠାଇଲେ।
32ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକ-ସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମାଆ, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି।
33ଯୀଶୁ ସେମାନଙ୍କୁ ଉତ୍ତର ହେଲେ, ମୋହର ମାଆ ଓ ଭାଇମାନେ କିଏ?
34ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ, ମୋହର ମାଆ ଓ ମୋହର ଭାଇମାନେ।
35ଯେ କେହି ଈଶ୍ଵରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।
Currently Selected:
ମାର୍କ 3: ODIAOV-BSI
Highlight
Share
Copy

Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.