ମାଥିଉ 6
6
ଦାନଧର୍ମ
1ଲୋକ ଦେଖାଇବା ପାଇଁ ସେମାନଙ୍କ ସାକ୍ଷାତରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
2ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ତରେ ସେ ପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
3କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି, ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
4ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ପ୍ରଭୁଙ୍କ ଆଦର୍ଶ ପ୍ରାର୍ଥନା
5ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
6କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରିରେ ପ୍ରବେଶ କର, ପୁଣି ତୁମ୍ଭର ଦ୍ଵାର ରୁଦ୍ଧ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
7ପୁଣି, ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
8ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ଵର ତାହା ଜାଣନ୍ତି।
9ଅତଏବ, ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
10ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ଵର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
11ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
12ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
13ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍ଣାିଁ
14କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
15କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
ପ୍ରକୃତ ଉପବାସ
16ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
17କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
18ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ; ଆଉ, ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ସ୍ଵର୍ଗରେ ସଂଚିତ ଧନ
19ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ, ପୁଣି ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
20ମାତ୍ର ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ଵର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
21କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
22ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
23କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ, ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେହି ଅନ୍ଧକାର କେଡ଼େ ଘୋରତର !
24କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣଙ୍କୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ଵର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ।
ଚିନ୍ତିତ ନ ହୁଅ
25ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ ବା କଅଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
26ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
27ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ତେ ବୃଦ୍ଧି କରି ପାରେ?
28ଆଉ, ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟ ବିବେଚନା କରି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେସବୁ ପରିଶ୍ରମ କରନ୍ତି ନାହିଁ, କିମ୍ଵା ସୂତା କାଟନ୍ତି ନାହିଁ,
29ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ଵର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
30କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାକୁ ଯେବେ ଈଶ୍ଵର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ଵାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତ ରୂପେ ବସ୍ତ୍ର ନ ଦେବେ?
31ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
32କାରଣ ବିଜାତିମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ, ଏହିସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ଜାଣନ୍ତି।
33କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ଵେଷଣ କର, ଆଉ ଏହିସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
34ଅତଏବ, କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
Currently Selected:
ମାଥିଉ 6: ODIAOV-BSI
Highlight
Share
Copy

Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.