ଲୂକ 20
20
ଯୀଶୁଙ୍କ ଅଧିକାରକୁ ଆହ୍ୱାନ
(ମାଥିଉ 21:23-27; ମାର୍କ 11:27-33)
1ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ, 2ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ ।
3କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ, 4ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା ?
5ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 6କିନ୍ତୁ ଯଦି ମନୁଷ୍ୟଠାରେ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ ।
7ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ । 8ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।
ଦ୍ରାକ୍ଷାକ୍ଷେତ୍ରରେ ଦୁଷ୍ଟ ଭାଗଚାଷୀଙ୍କ ଦୃଷ୍ଟାନ୍ତ
(ମାଥିଉ 21:33-46; ମାର୍କ 12:1-12)
9ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ । 10ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ ।
11ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ; 12ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ ।
13ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି ? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ । 14ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ ।
15ଆଉ ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ପକାଇ ବଧ କଲେ । ଅତଏବ ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କ'ଣ କରିବେ ? 16ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ । ଏହା ଶୁଣି ସେମାନେ କହିଲେ, ତାହା ନ ହେଉ ।
17କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତେବେ ଏହି ଯେଉଁ ବାକ୍ୟ ଲେଖା ଅଛି, ତାହାର ଅର୍ଥ କ'ଣ, ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା ? 18ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ ।
କର ଦେବା ପ୍ରସଙ୍ଗ
(ମାଥିଉ 22:15-22; ମାର୍କ 12:13-17)
19ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ । 20ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ ।
21ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି । 22କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ କି ନାହିଁ ?
23କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ । 24ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି ? ସେମାନେ କହିଲେ, କାଇସରଙ୍କର ।
25ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ । 26ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ ।
ସାଦ୍ଦୂକୀଙ୍କ ପୁନରୁତ୍ଥାନର
(ମାଥିଉ 22:23-33; ମାର୍କ 12:18-27)
27ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, 28ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
29ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; 30ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ; 31ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ । 32ଶେଷରେ ସ୍ତ୍ରୀଟି ମଧ୍ୟ ମଲା । 33ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
34ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, 35କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; 36ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି ।
37ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି । 38ସେ ତ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।
39ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ । 40କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ ।
ଖ୍ରୀଷ୍ଟ କାହାର ସନ୍ତାନ ?
(ମାଥିଉ 22:41-46; ମାର୍କ 12:35-37)
41କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି ? 42କାରଣ ଦାଉଦ ନିଜେ ଗୀତସଂହିତାରେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ (ଯୀଶୁ) କହିଲେ,
43ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
44ଅତଏବ ଦାଉଦ ଯୀଶୁଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ଯୀଶୁ କିପ୍ରକାରେ ଦାଉଦର ସନ୍ତାନ ?
ଶାସ୍ତ୍ରୀମାନଙ୍କଠାରୁ ସତର୍କତା
(ମାଥିଉ 23:1-36; ମାର୍କ 12:38-40)
45ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ, 46ଶାସ୍ତ୍ରୀମାନଙ୍କଠାରୁ ସାବଧାନ ! ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି; 47ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ ।
Цяпер абрана:
ଲୂକ 20: ORYIRV
Пазнака
Падзяліцца
Капіяваць
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0