ଯୋହନ 12
12
ବେଥନୀୟାରେ ଯୀଶୁଙ୍କ ଅଭିଷେକ
(ମାଥିଉ 26:6-13; ମାର୍କ 14:3-9)
1ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ । 2ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ । 3ସେତେବେଳେ ମରିୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା । 4କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, 5ଏହି ତୈଳ ଦେଢ଼ଶହ ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା ? 6ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା । 7ସେଥିରେ ଯୀଶୁ କହିଲେ, ଏହାକୁ ଛାଡ଼ିଦିଅ, ଯେପରି ମୋର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ । 8ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।
ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
9ଇତିମଧ୍ୟରେ ବହୁସଂଖ୍ୟକ ଯିହୂଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ । 10କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 11କାରଣ ତାଙ୍କ ଯୋଗୁଁ ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ।
ଯୀଶୁଙ୍କ ବିଜୟ ଯାତ୍ରା
(ମାଥିଉ 21:1-11; ମାର୍କ 11:1-11; ଲୂକ 19:28-40)
12ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଅଛନ୍ତି ବୋଲି ଶୁଣି 13ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା । ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା । 14ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, 15ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି । 16ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହି ସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା । 17ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ । 18ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ । 19ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି ।
ଯୀଶୁଙ୍କ ସନ୍ଧାନରେ କେତେକ ଗ୍ରୀକ୍ ଲୋକ
20ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ଥିଲେ । 21ସେମାନେ ଗାଲିଲୀସ୍ଥ ବେଥ୍ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା । 22ଫିଲିପ୍ପ ଯାଇ ଆନ୍ଦ୍ରୀୟଙ୍କୁ କହିଲେ, ପୁଣି, ଆନ୍ଦ୍ରୀୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ । 23ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ । 24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ । 25ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । 26କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ସୂଚନା
27ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କ'ଣ କହିବି ? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର ? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି । 28ପିତଃ, ଆପଣା ନାମ ମହିମାନ୍ୱିତ କର । ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ । 29ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି । 30ଯୀଶୁ ଉତ୍ତର ଦେଲେ, ମୋ' ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି । 31ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ । 32ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି । 33ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ । 34ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ ? ଏହି ମନୁଷ୍ୟପୁତ୍ର କିଏ ? 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି । ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥି ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ । 36ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର । ଯୀଶୁ ଏହି ସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ ।
ଲୋକମାନଙ୍କର ଅବିଶ୍ୱାସ
37କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, 38ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ? 39ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, 40ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । 41ଯିଶାଇୟ ଏହି ସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ । 42ତଥାପି ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, 43କାରଣ ସେମାନେ ଈଶ୍ୱରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ ।
ଯୀଶୁଙ୍କ ବାକ୍ୟ ଦ୍ୱାରା ମନୁଷ୍ୟର ବିଚାର
44ଯୀଶୁ ଉଚ୍ଚସ୍ୱରରେ କହିଲେ, ଯେ ମୋ'ଠାରେ ବିଶ୍ୱାସ କରେ, ସେ ମୋ'ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 45ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ । 46ଯେ କେହି ମୋ'ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି । 47କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି । 48ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ । 49କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କ'ଣ କହିବି ଓ କ'ଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 50ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ । ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ ।
Цяпер абрана:
ଯୋହନ 12: ORYIRV
Пазнака
Падзяліцца
Капіяваць

Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0