ମାଥିଉ 18
18
ସବୁଠାରୁ ଶ୍ରେଷ୍ଠ ସବୁଠାରୁ ନମ୍ର
(ମାର୍କ 9:33-37; ଲୂକ 9:46-48)
1ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତେବେ ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ? 2ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ, 3“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
4 ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ। 5ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;
ବିଶ୍ୱାସରେ ବିଘ୍ନକାରୀର ଦଣ୍ଡ
(ମାର୍କ 9:42-48; ଲୂକ 17:1,2)
6 କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
7 ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର। 8ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
9 ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
ହଜିଲା ମେଣ୍ଢାର ଦୃଷ୍ଟାନ୍ତ
(ଲୂକ 15:3-7)
10 ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି। 11[କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି।]
12 ତୁମ୍ଭେମାନେ କଅଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କଅଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ? 13ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ। 14ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ।
ପାପ କରିଥିବା ଭାଇ ସମ୍ବନ୍ଧରେ
(ଲୂକ 17:3; ଗାଲାତୀୟ 6:1; ଯାକୁବ 5:19-20)
15 ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ। 16କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।
17 ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୁଦୀ ଓ କରଗ୍ରାହୀ ପରି ହେଉ।
18 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହିସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହିସବୁ ମୁକ୍ତ ରହିବ। 19ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ। 20କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି।”
କ୍ଷମା ନ ଦେବା ଦାସର ଦୃଷ୍ଟାନ୍ତ
(ଲୂକ 17:3-4)
21ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? 22କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,
23 ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ। ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ। 24ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା। 25କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା-ପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ।
26 ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’ 27ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ।
28 କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ଏକ ଶହ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ।
29 ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’
30 ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା। 31ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ।
32 ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ ‘ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; 33ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’
34 ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ। 35ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।”
Currently Selected:
ମାଥିଉ 18: IRVOry
Highlight
Share
Copy
Want to have your highlights saved across all your devices? Sign up or sign in
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.