YouVersion Logo
Search Icon

ମାଥିଉ 12

12
ବିଶ୍ରାମବାରର ପ୍ରଭୁ
(ମାର୍କ 2:23-28; ଲୂକ 6:1-5)
1ସେହି ସମୟରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ। 2କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି।
3ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ? 4ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।
5 କିମ୍ବା ବିଶ୍ରାମବାର ଦିନରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଷ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହଁ? 6ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି।
7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ। 8କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
ଶୁଷ୍କ ହସ୍ତ ବିଶିଷ୍ଟ ବ୍ୟକ୍ତିର ସୁସ୍ଥତା
(ମାର୍କ 3:1-6; ଲୂକ 6:6-11)
9ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ। 10ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?
11କିନ୍ତୁ ସେ ସେମାନଙ୍କୁ କହିଲେ, “ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାର ଦିନରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି? 12ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।
13ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା। 14କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ।
ଈଶ୍ବରଙ୍କ ମନୋନୀତ ଦାସ
(ଯିଶାଇୟ 42:1-4)
15ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ 16ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ, 17ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
18ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ;
ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ;
ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା,
ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
19ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ,
କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
20ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ,
ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
21ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା
(ମାର୍କ 3:20-30; ଲୂକ 11:14-23)
22ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା। 23ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି?
24ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍‌ଜିବୂଲ୍‍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ। 25କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।
26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ?
27 ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ। 28କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି। 29ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ। 30ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ। 32ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।”
ଫଳ ଦ୍ୱାରା ଗଛର ପରିଚୟ
(ଲୂକ 6:43-45)
33 “ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ। 34ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। 35ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ।
36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ; 37ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ।”
ଯୂନସଙ୍କ ଚିହ୍ନ
(ଲୂକ 6:43-45)
38ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ। 39କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। 40କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ।
41 ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
ଅଶୁଚି ଆତ୍ମାର ପ୍ରତ୍ୟାବର୍ତ୍ତନ
(ଲୂକ 11:24-26)
43 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ। 44ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ। 45ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
ଯୀଶୁଙ୍କ ମାଆ ଓ ଭାଇମାନେ
(ମାର୍କ 3:31-35; ଲୂକ 8:19-21)
46ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ। 47ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି।
48କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?” 49ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ, 50କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”

Currently Selected:

ମାଥିଉ 12: IRVOry

Highlight

Share

Copy

None

Want to have your highlights saved across all your devices? Sign up or sign in